ଆଜି ହେଉଛି ଅକ୍ଷୟ ତୃତୀୟା। ଯାହାକୁ ହିନ୍ଦୁ ଧର୍ମରେ ଅତ୍ୟନ୍ତ ଶୁଭ ଏବଂ ଫଳପ୍ରଦ ବୋଲି ବିବେଚନା କରାଯାଏ। ବୈଶାଖ ମାସ ଶୁକ୍ଳ ପକ୍ଷ ତୃତୀୟା ତିଥିକୁ ଅକ୍ଷୟ ତୃତୀୟା ବା ଅକ୍ଷି ତୃତୀୟା ବୋଲି କୁହାଯାଏ। ଏହା ହେଉଛି ଅକ୍ଷୟ ସୌଭାଗ୍ୟର ଦିନ, ଏହା ଏମିତି ଏକ ତିଥି, ଯାହାକୁ ନେଇ ଲୋକମନଙ୍କର ଅଟୁଟ ବିଶ୍ୱାସ ରହିଛି ଯେ ଆଜି ଯାହା ଆରମ୍ଭ ହୋଇଥାଏ, ସେଥିରେ କେବେ କ୍ଷୟ ନାହିଁ। ସେଇପାଇଁ ଗାଁଠୁ ସହର, ଘରଠୁ ମନ୍ଦିର ସବୁଠି ଶୁଭ କାର୍ଯ୍ୟ କରାଯାଇଥାଏ।
ପୁରୀ ଧାମରେ ଆଜିର ମାହୋଲ ପୁରା ଅଲଗା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚନ୍ଦନ ଯାତ୍ରାର ଆରମ୍ଭ ସହିତ ରଥ ନିର୍ମାଣରେ ପଡେ ପ୍ରଥମ କୁରାଢିର ଛୁଆଁ। ରଥଖଳାରେ ମନ୍ତ୍ରଧ୍ୱନି, ଶଙ୍ଖନାଦ ଓ ପୂଜାବିଧି ମଧ୍ୟରେ ବିଶ୍ୱକର୍ମାଙ୍କର ଶାଢୀବନ୍ଧା ଏହି ଦୃଶ୍ୟ ଦେଖିଲେ ଭକ୍ତମାନଙ୍କ ମନେ ଭକ୍ତିର ଜୁଆର ଉଠେ। ଏଠାରୁ ଆରମ୍ଭ ହୁଏ ରଥଯାତ୍ରାର ପ୍ରସ୍ତୁତିର ମହାଯାତ୍ରା।
ଏପଟେ ଗାଁଘରେ କୃଷକଙ୍କ ପାଇଁ ଏହା ‘ଅମୃତ ବେଳା’। ଅକ୍ଷିମୁଠି ଅନୁକୂଳରେ ମାଟି ସହ ମଣିଷର ଆତ୍ମୀୟ ସମ୍ପର୍କ ପୁଣି ନବୀକୃତ ହୁଏ। ମୁଣ୍ଡରେ ବିହନ ଭରା ଗଉଣୀ, ହାତରେ ହଳ-ଲଙ୍ଗଳ, ଶଙ୍ଖ ଓ ହୁଳହୁଳିର ଧ୍ୱନି ଏହି ପରମ୍ପରାରେ ଲୁଚିଛି ଚାଷୀର ଆଶା, ଭରସା ଓ ଭବିଷ୍ୟତର ସ୍ୱପ୍ନ।
ପୌରାଣିକ ଦୃଷ୍ଟିକୋଣରୁ ଏ ଦିନର ମହତ୍ତ୍ୱ ଯଥେଷ୍ଟ ଅଧିକ। ଏହି ଦିନକୁ ସତ୍ୟ ଯୁଗର ପ୍ରାରବ୍ଧ ଦିବସ ରୂପେ ଗ୍ରହଣ କରାଯାଇଛି। ଅକ୍ଷୟ ତୃତୀୟାରେ ଋଷି ବେଦବ୍ୟାସ ଓ ପ୍ରଭୁ ଗଣେଷ ମହାଭାରତ ଲେଖିବା ଆରମ୍ଭ କରିଥିଲେ। ପୌରାଣିକ କାଳରେ ଅକ୍ଷୟତୃତୀୟାରୁ ତ୍ରେତୟା ଯୁଗ ଆରମ୍ଭ ହେଉଥିବା ବେଳେ ପାପ-ନାଶିନୀ ଗଙ୍ଗା ପୃଥିବୀ ପୃଷ୍ଠରେ ପ୍ରବାହିତ ହୋଇଥିଲେ ବୋଲି କିମ୍ବଦନ୍ତୀ କହେ। ଅକ୍ଷୟତୃତୀୟା ତିଥିରେ ଶ୍ରୀକୃଷ୍ଣ ବାଲ୍ୟ ବନ୍ଧୁ ସୁଦାମାଙ୍କୁ ଭେଟି ତାଙ୍କ ଦାରିଦ୍ର୍ୟର ଅନ୍ତ ଘଟାଇଥିଲେ। ଏଣୁ ଏହି ତିଥିକୁ ସମୃଦ୍ଧି ଓ ସୌଭାଗ୍ୟର ତିଥି ବୋଲି ବିଶ୍ୱାସ କରାଯାଏ। ଏହି ଦିନ ସ୍ଵର୍ଣ୍ଣ କ୍ରୟ କଲେ ଲକ୍ଷ୍ମୀ ଧନଧାନ୍ୟରେ ଗୃହ ପୂରିଦିଅନ୍ତି ବୋଲି ବିଶ୍ଵାସ ଅଛି।
ଅକ୍ଷୟ ତୃତୀୟା ହେଉଛି ଏଭଳି ଏକ ଦିନ, ଯେଉଁଥିରେ ଶ୍ରଦ୍ଧା ଓ ପରମ୍ପରା ମିଶି ଗଢ଼େ ଆଶାର ନୂଆ ଅଧ୍ୟାୟ। ନୂତନ ସ୍ୱପ୍ନ, ନୂତନ ପ୍ରୟାସ ଓ ଅକ୍ଷୟ ସଫଳତାର ଆରମ୍ଭ ହେଉଛି ଏହି ପବିତ୍ର ତିଥିର ଅସଲ ସନ୍ଦେଶ।