ମୁୁମ୍ବାଇ: ରୋହିତ ଶର୍ମାଙ୍କ ଆଘାତ ସମସ୍ୟା କେତେ ଅଛି ? କଣ ସେ ଗୁଜରାଟ ଟାଇଟନ୍ସ ବିପକ୍ଷ ମ୍ୟାଚ୍ ଆଜି ଖେଳି ପାରିବେ କି ? ରୋହିତଙ୍କୁ ହାର୍ମଷ୍ଟ୍ରିଙ୍ଗ ସମସ୍ୟା ରହିଛି । ଏହି କାରଣରୁ ସେ ପଞ୍ଜାବ କିଙ୍ଗ୍ସ ବିପକ୍ଷ ଗତ ମ୍ୟାଚ୍ ଖେଳି ପାରି ନ ଥିଲେ । ହେଲେ କଣ ଏବେ ସେ କ୍ରମାଗତ ଦ୍ୱିତୀୟ ମ୍ୟାଚରେ ବାହାରେ ରହିବେ ? ଜିଟି ବିପକ୍ଷ ମ୍ୟାଚ୍ ପୂର୍ବରୁ ରୋହିତ ଶର୍ମାଙ୍କୁ ନେଟ୍ସରେ ଅଭ୍ୟାସ କରୁଥିବା ଦେଖିବାକୁ ମିଳିଛି । ଏହା ମୁମ୍ବାଇ ପାଇଁ ଭଲ ସଙ୍କେତ ।
ରୋହିତଙ୍କ ବଦଳରେ ଡିକକ ମାରିଥିଲେ ଶତକ
ପଞ୍ଜାବ କିଙ୍ଗସ ବିପକ୍ଷରେ ରୋହିତ ଶର୍ମା ଆହତ କାରଣରୁ ଖେଳି ପାରି ନ ଥିଲେ । ତାଙ୍କ ସ୍ଥାନରେ କ୍ୱିଣ୍ଟନ ଡିକକ ନିଜ ଦେଶର ସାଥୀ ଖେଳାଳି ରିକଲଟନଙ୍କ ସହିତ ଓପନିଂ କରିଥିଲେ । ଡିକକଙ୍କ ଏହି ସିଜିନର ଏହା ପ୍ରଥମ ମ୍ୟାଚ୍ ଥିଲା । ସେ ୬୦ ବଲରୁ ୭ ଛକା ଓ ୮ ଚୌକା ସହ ୧୧୨ ରନ କରିଥିଲେ । ହେଲେ ଡିକକଙ୍କ ଏହି ଅପରାଜିତ ଶତକ ସତ୍ତ୍ୱେ ବି ମୁମ୍ବାଇ ୧୯୫ ରନ କରି ବି ପରାଜିତ ହୋଇଥିଲା ।
ରୋହିତ ଖେଳିବେ କି ନାହିଁ ?
ଏବେ ପ୍ରଶ୍ନ ଉଠୁଛି ରୋହିତ ଫିଟ୍ ହୋଇ ଫେରିଲେ ଦଳର ପ୍ଲେଇଙ୍ଗ ଇଲେଭେନ କେମିତି ରହିବ ? ଡିକକ ନା ରିକଲଟନ କାହାକୁ ଚୂଡାନ୍ତ ଏକାଦଶରେ ମିଳିବ ସୁଯୋଗ? ମୁମ୍ବାଇ ଇଣ୍ଡିଆନ୍ସ ରୋହିତଙ୍କୁ ନେଇ ବୟାନ ଜାରି କରିଛି । ଫ୍ରାଞ୍ଚାଇଜ କହିଛି ଯେ, ରୋହିତ ଶର୍ମା ଅହମ୍ମଦାବାଦର ନେଟ୍ସରେ ବ୍ୟାଟିଂ କରୁଛନ୍ତି । ଏହି ସମୟରେ ମେଡିକାଲ ଟିମ୍ ଓ ହେଡ୍ କୋଚ୍ ମହେଲା ଜୟବର୍ଦ୍ଧନେ ଲଗାତାର ତାଙ୍କର ଫିଟନେସ୍ ଯାଞ୍ଚ କରିଛନ୍ତି । ହେଲେ ଏହା ସ୍ପଷ୍ଟ ଯେ, ଗୁଜରାଟ ବିପକ୍ଷ ମ୍ୟାଚରେ ରୋହିତଙ୍କ ଖେଳିବା ନେଇ ଅଦ୍ୟାବଧି କୌଣସି ନିଷ୍ପତ୍ତି ନେଇନି ମୁମ୍ବାଇ ଇଣ୍ଡିଆନ୍ସ ।
ରୋହିତ ଆସିଲେ କିଏ ବାଦ୍ ପଡିବେ ?
ରୋହିତ ଶର୍ମାଙ୍କ ଯଦି ଚୂଡାନ୍ତ ଏକାଦଶକୁ ପ୍ରତ୍ୟାବର୍ତ୍ତନ ହୁଏ ତେବେ ରିୟାନ ରିକଲଟନଙ୍କ ଚୂଡାନ୍ତ ଏକାଦଶରୁ ବାଦ୍ ପଡିବାର ସମ୍ଭାବନା ରହିଛି । କାରଣ ଡିକକ ନିଜର ପ୍ରଥମ ମ୍ୟାଚରେ ଶତକ ମାରି ନିଜର ସ୍ଥାନ ସୁରକ୍ଷିତ କରି ଦେଇଛନ୍ତି ।