ମୁମ୍ବାଇ ବିପକ୍ଷ ପରାଜୟ ପରେ ଗୁଜୁରାଟର ଅଧିନାୟକ ଶୁଭମନ ଗିଲ ପରାଜୟ ପାଇଁ ତାଙ୍କ ବୋଲରଙ୍କୁ ଦାୟୀ କରିଛନ୍ତି । ଗିଲଙ୍କ କହିବା ଅନୁଯାୟୀ, ମଧ୍ୟ ଓଭର ଗୁଡିକରେ ଖରାପ ବୋଲିଂ କାରଣରୁ ଗୁଜୁରାଟକୁ ପରାଜୟର ସାମ୍ନା କରିବାକୁ ପଡିଛି । ତେବେ ସୋମବାର ଖେଳାଯାଇଥିବା ମ୍ୟାଚରେ ଗୁଜୁରାଟ ଦ୍ଵିତୀୟ ଇନିଂସରେ ମାତ୍ର ୧୦୦ ରନରେ ଅଲଆଉଟ ହୋଇଯାଇଥିଲା, କିନ୍ତୁ ଏହା ସତ୍ୱେ ମଧ୍ୟ ନିଜ ବୋଲରଙ୍କଠାରୁ ନିରାଶ ଅଛନ୍ତି ଗିଲ ।
ଗୁଜୁରାଟ ଓ ମୁମ୍ବାଇର ଏହି ମ୍ୟାଚ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିଲା । ଟସ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତି ନେଇଥିଲେ ଅଧିନାୟକ ଗିଲ । ପାୱାରପ୍ଲେରେ କାଗିସୋ ରାବାଡା ତିନୋଟି ୱିକେଟ ନେବା ସତ୍ତ୍ୱେ, ମୁମ୍ବାଇ ୨୦୦ ରନର ଟାର୍ଗେଟ ଦେବାରେ ସଫଳ ହୋଇଥିଲା।
ମୁମ୍ବାଇ ପାଇଁ ତିଲକ ବର୍ମା ୧୦୧ ରନର ଅପରାଜିତ ଇନିଂସ ଖେଳିଥିଲେ। ତାଙ୍କ ବ୍ୟତୀତ, ନମନ ଧୀର ୪୫ ରନ କରିଥିଲେ। ୨୦୦ ରନର ଟାର୍ଗେଟକୁ ଚେଜ କରିବାକୁ ଯାଇ ଗୁଜୁରାଟ ମାତ୍ର ୧୦୦ ରନରେ ଅଲଆଉଟ ହୋଇଯାଇଥିଲା । ଯାହା ଫଳରେ ମୁମ୍ବାଇ ୯୯ ରନର ଏକ ବୃହତ ବିଜୟ ହାସଲ କରିଥିଲା। ପରାଜୟ ପରେ, ଗୁଜୁରାଟ ଅଧିନାୟକ ଶୁଭମନ ଗିଲ ଅସନ୍ତୁଷ୍ଟ ଦେଖାଯାଉଥିଲେ। ୯୯ ରନର ପରାଜୟ ସତ୍ୱେ ସେ ବ୍ୟାଟିଂ ୟୁନିଟକୁ ଦୋଷ ଦେବା ପରିବର୍ତ୍ତେ ବୋଲିଂ ୟୁନିଟକୁ ଦୋଷୀ ବୋଲି କହିଥିଲେ ।
ମ୍ୟାଚ ପରେ ଗିଲ କହିଥିଲେ "ପିଚ ଯେଉଁଭଳି ଥିଲା ୧୬୦-୧୭୦ ରନରେ ମୁମ୍ବାଇକୁ ସୀମିତ ରଖିବାର ଥିଲା । ମଧ୍ୟବର୍ତ୍ତୀ ଓଭରରେ ଆମେ ଅଧିକ ରନ ଦେଲୁ ତେଣୁ ମୁମ୍ବାଇ ୧୯୯ ରନରେ ପହଞ୍ଚିଲା । ଏହି ମ୍ୟାଚରୁ ଆମକୁ ବହୁତ କିଛି ଶିଖିବାର ଅଛି। "
ଦ୍ଵିତୀୟ ଇନିଂସରେ ପିଚରେ କିଛି ପରିବର୍ତ୍ତନ ହୋଇଥିଲା କି ନାହିଁ ପ୍ରଶ୍ନର ଉତ୍ତର ରଖିଥିଲେ ଗିଲ ଓ କହିଥିଲେ "ପିଚ ପ୍ରାୟତଃ ସମାନ ଥିଲା, ପ୍ରଥମ ଇନିଂସ ଠାରୁ ପିଚ ସାମାନ୍ୟ ଭଲ ହୋଇଥିଲା, କାରଣ ଦ୍ଵିତୀୟ ଇନିଂସରେ କାକରର ପ୍ରଭାବ ଅଧିକ ରହିଥିଲା।"