ଭାରତୀୟ ମହିଳା ଦଳ ବୁଧବାର ଦକ୍ଷିଣ ଆଫ୍ରିକା ମହିଳା ଦଳ ଠାରୁ ୯ ୱିକେଟ୍ ରେ ପରାସ୍ତ ହୋଇଛି । ୧୯୩ ରନର ଟାର୍ଗେଟକୁ ୧୬.୩ ଓଭରରେ ଚେଜ କରିବା ସହ ଦକ୍ଷିଣ ଆଫ୍ରିକା ମହିଳା ଦଳ ଏହି ସିରିଜ ମଧ୍ୟ ଜିତିଛି । ଏହି ସିରିଜରେ ଆଉ ୨ ଟି ମ୍ୟାଚ ବାକିଥିଲେ ମଧ୍ୟ ବର୍ତ୍ତମାନ ୩-୦ ରେ ସିରିଜ ଜିତିଛି ଦକ୍ଷିଣ ଆଫ୍ରିକା ମହିଳା ଦଳ ।
ଜୋହାନେସବର୍ଗରେ ଖେଳାଯାଇଥିବା ଏହି ତୃତୀୟ ଟି-୨୦ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଟସ୍ ଜିତି ବୋଲିଂର ନିଷ୍ପତି ନେଇଥିଲା । ପ୍ରଥମ ଇନିଂସରେ ସ୍ମୃତି ମନ୍ଧାନା ଓ ଶେଫାଳି ବର୍ମା ଭଲ ଆରମ୍ଭ କରିଥିଲେ ଓ ପ୍ରଥମ ପାୱାରପ୍ଲେରେ ଭାରତ ବିନା କୌଣସି ୱିକେଟ୍ ହରାଇ ୫୧ ରନ ସଂଗ୍ରହ କରିଥିଲା । ଏହାପରେ ନବମ ଓଭରର ତୃତୀୟ ବଲରେ ସ୍ମୃତି ମନ୍ଧାନା ୩୭ ରନରେ ନିଜ ୱିକେଟ୍ ହରାଇଥିଲେ ଓ ପରବର୍ତ୍ତୀ ବଲରେ ଅର୍ଥାତ ଚତୁର୍ଥ ବଲରେ ଜେମିମାହ ରୋଡ୍ରିଗ୍ସ ଖାତା ନଖୋଲି ପ୍ୟାଭିଲିଅନ ଫେରିଥିଲେ । ହର୍ମନପ୍ରୀତ କୌର ଓ ଶେଫାଳି ବର୍ମାଙ୍କ ମଧ୍ୟରେ ଏକ ଭାଗିଦାରୀତା ଦେଖିବାକୁ ମିଳିଥିଲା । ୧୫.୪ ଓଭରରେ ଶେଫାଳି ବର୍ମା ୬୪ ରନ କରି ଆଉଟ ହୋଇଥିଲେ । ଅଧିନାୟକ ହର୍ମନପ୍ରୀତ କୌରଙ୍କ ୩୮ ବଲରେ ୬୬ ରନ ଓ ରିଛା ଘୋଷଙ୍କ ୧୮ ରନ ବଳରେ ଭାରତ ୨୦ ଓଭରରେ ୪ ୱିକେଟ୍ ହରାଇ ୧୯୨ ରନ ସଂଗ୍ରହ କରିଥିଲା ।
ଦ୍ଵିତୀୟ ଇନିଂସରେ ଦକ୍ଷିଣ ଆଫ୍ରିକା ଆଟାକିଙ୍ଗ ବ୍ୟାଟିଂ କରିବା ସହ ପାୱାରପ୍ଲେରେ ବିନା କୌଣସି ୱିକେଟ୍ ହରାଇ ୭୨ ରନ ସଂଗ୍ରହ କରିଥିଲା । ଲୌରା ୱଲଭାର୍ଟଙ୍କ ୫୩ ବଲରେ ୧୧୫ ରନ ଓ ସୁନି ଲୁସଙ୍କ ୪୨ ବଲରେ ୬୪* ରନ ବଳରେ ୧୬.୩ ଓଭରରେ ମ୍ୟାଚ ଜିତିଥିଲା ଦକ୍ଷିଣ ଆଫ୍ରିକା । ଶ୍ରେୟଙ୍କା ପାଟିଲ ୧୫.୨ ଓଭରରେ ଲୌରା ୱଲଭାର୍ଟଙ୍କ ୱିକେଟ୍ ନେବାରେ ସଫଳ ହୋଇଥିଲେ ମଧ୍ୟ ସେତେବେଳେ ମ୍ୟାଚ ଏକତରଫା ହୋଇସାରିଥିଲା ।
ଜୋହାନେସବର୍ଗର ହାଇ-ସ୍କୋରିଂ ପିଚ୍ ରେ ଭାରତୀୟ ବୋଲରଙ୍କ ଆଭରେଜ ବୋଲିଂ ଯୋଗୁ ଦକ୍ଷିଣ ଆଫ୍ରିକାକୁ ଏକ ସହଜ ବିଜୟ ମିଳିଛି । ଲଗାତାର ୩ ଟି ମ୍ୟାଚରେ ପରାଜୟ ଭାରତୀୟ ଦଳ ପାଇଁ ଚିନ୍ତାର ବିଷୟ ପାଲଟିଛି । ସିରିଜରେ ଆଉ ଦୁଇଟି ମ୍ୟାଚ ବାକି ରହିଛି, ତେଣୁ ଏହି ଦୁଇଟି ମ୍ୟାଚରେ କମ୍-ବ୍ୟାକ୍ କରିବାକୁ ଚେଷ୍ଟା କରିବ ଭାରତୀୟ ମହିଳା ଦଳ । କାରଣ ଆଗକୁ ମହିଳା ଟି-୨୦ ବିଶ୍ୱକପ ରହିଛି, ତେଣୁ ବର୍ତ୍ତମାନ ଏହି ମ୍ୟାଚ ଗୁଡିକ ବେଶ ଗୁରୁତ୍ୱପୂର୍ଣ୍ଣ । ସିରିଜର ଚତୁର୍ଥ ମ୍ୟାଚ ୨୫ ଏପ୍ରିଲରେ ଜୋହାନେସବର୍ଗରେ ଓ ଶେଷ ମ୍ୟାଚ ୨୭ ଏପ୍ରିଲରେ ବେନୋନିରେ ଖେଳାଯିବ ।