ଆଇପିଏଲ ଇତିହାସର ଦୁଇ ସଫଳ ଦଳ ମୁମ୍ବାଇ ଇଂଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗସ ଆଜି ମୁମ୍ବାଇର ୱାନଖେଡେ ଷ୍ଟାଡିୟମରେ ମୁହାଁମୁହିଁ ହେବାକୁ ଯାଉଛନ୍ତି । ପାଞ୍ଚ ପାଞ୍ଚ ଥର ଆଇପିଏଲ ବିଜେତା ଚଳିତ ସିଜିନରେ ଫ୍ୟାନ୍ସଙ୍କୁ ନିରାଶ କରିଛନ୍ତି । ଉଭୟ ଦଳ ୬ ଟି ମ୍ୟାଚ ଖେଳିଥିବାବେଳେ ମାତ୍ର ୨ ଟି ଲେଖାଏଁ ମ୍ୟାଚ ଜିତିଛନ୍ତି । ନେଟ୍ ରନ ରେଟ୍ ଅନୁସାରେ ମୁମ୍ବାଇ ପଏଣ୍ଟ ଟେବୁଲର ସପ୍ତମ ସ୍ଥାନରେ ଥିବାବେଳେ ଚେନ୍ନାଇ ଅଷ୍ଟମ ସ୍ଥାନରେ ରହିଛି ।
କ୍ରିକେଟ ବିଶ୍ୱକପରେ ଭାରତ ଓ ପାକିସ୍ତାନ ମ୍ୟାଚ ଦେଖିବାକୁ ଯେଉଁଭଳି ଉତ୍ସାହ ଫ୍ୟାନ୍ସଙ୍କ ମଧ୍ୟରେ ଦେଖାଯାଏ ସେହିଭଳି ଉତ୍ସାହ ଆଇପିଏଲରେ ମୁମ୍ବାଇ ଓ ଚେନ୍ନାଇ ମ୍ୟାଚରେ ଦେଖିବାକୁ ମିଳେ । ଦୁଇ ଦଳରେ ଭାରତର ଦୁଇ ସଫଳ ଅଧିନାୟକ ଥିବାରୁ ଅନେକ ସମୟରେ ଫ୍ୟାନ-ୱାର ଦେଖିବାକୁ ମିଳେ । ଆଇପିଏଲରେ ମୁମ୍ବାଇ ଓ ଚେନ୍ନାଇ ୩୯ ଥର ମୁହାଁମୁହିଁ ହୋଇଥିବାବେଳେ ମୁମ୍ବାଇ ୨୧ ଟି ମ୍ୟାଚରେ ବିଜୟ ହାସଲ କରି ଆଗୁଆ ରହିଥିବାବେଳେ ଚେନ୍ନାଇ ୧୮ ଟି ମ୍ୟାଚରେ ବିଜୟୀ ହୋଇଛି ।
ଫ୍ୟାନ୍ସ ଦୁଇ ଦଳର ଲଢ଼େଇକୁ ନେଇ ଖୁସି ଥିବାବେଳେ ଫ୍ୟାନ୍ସଙ୍କ କିଛି ଦୁଃଖ ଖବର ମଧ୍ୟ ରହିଛି । ମୁମ୍ବାଇ ପାଇଁ ରୋହିତ ଶର୍ମା ଆହତ ଥିବାବେଳେ ସେ ସମ୍ପୂର୍ଣ୍ଣ ଫିଟ୍ ଅଛନ୍ତି ନା ନାହିଁ ସେ ନେଇ କୌଣସି ସ୍ପଷ୍ଟୀକରଣ ମିଳିପାରିନାହିଁ । ଅନ୍ୟପଟେ ଚେନ୍ନାଇ ପାଇଁ ମହେନ୍ଦ୍ର ସିଂ ଧୋନି ଖେଳିବେ ନା ନାହିଁ ସେ ନେଇ ମଧ୍ୟ କୌଣସି ସୂଚନା ମିଳିପାରିନାହିଁ । ଏହାସହ ଚେନ୍ନାଇର ଯୁବ ତାରକା ଆୟୁଷ ମାତ୍ରେ ମଧ୍ୟ ଆହତ କାରଣରୁ ଚଳିତ ସିଜିନରୁ ବାଦ ପଡିଛନ୍ତି ।
ମୁମ୍ବାଇ ପାଇଁ ୱିଲ ଜ୍ୟାକ୍ସ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଟିମରେ ଯୋଗଦେଇଥିବାବେଳେ ଆଜି ମ୍ୟାଚରେ ତାଙ୍କୁ ଖେଳୁଥିବାର ଦେଖିବାକୁ ମିଳିପାରେ । ସେହିଭଳି ଚେନ୍ନାଇ ପାଇଁ ଆୟୁଷ ମାତ୍ରେଙ୍କ ରିପ୍ଲେସମେଣ୍ଟ ଘୋଷଣା ହୋଇନଥିଲେ ମଧ୍ୟ ସ୍ପେନସର ଜନସନ ଅଭ୍ୟାସ ଅଧିବେଶନରେ ଯୋଗଦେବା ନେଇ ସୂଚନା ମିଳିଛି ।