ବେଙ୍ଗାଲୁରୁ: ଏମ ଚିଦାମ୍ବରମ ଷ୍ଟାଡିୟମରେ ଗର୍ଜିଲା ସାଇ ସୁଦର୍ଶନଙ୍କ ବ୍ୟାଟ । ଏହି ବାମହାତୀ ବ୍ୟାଟରଙ୍କ ଶତକ ବଳରେ ଗୁଜରାଟ ଟାଇଟନ୍ସ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ୩ ୱିକେଟ୍ ହରାଇ ୨୦୫ ରନ କରିଛି । ବିଜୟ ଅଭିଯାନ ଜାରି ରଖିବାକୁ ହେଲେ ଆରସିବିକୁ କରିବାକୁ ପଡିବ ୨୦୬ ରନ । ସାଇ ସୁଦର୍ଶନଙ୍କ ୧୦୦ ରନ ସହ ଅନ୍ୟ ବ୍ୟାଟର ଛୋଟ ଛୋଟ ଯୋଗଦାନ ଦେଇଥିଲେ ।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଗୁଜରାଟକୁ ଦୁଇ ଓପନର ଅଧିନାୟ ଶୁଭମନ ଗିଲ୍ ଓ ସାଇ ସୁଦର୍ଶନ ଦମଦାର ଆରମ୍ଭ ଦେଇଥିଲେ । ବିଶେଷ କରି ସାଇ ସୁଦର୍ଶନ ଆରମ୍ଭରୁ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ । ଗୋଟିଏ ପଟେ ଗିଲ୍ ଜଗିରଖି ଖେଳିଥିବା ବେଳେ ଅନ୍ୟପଟେ ସାଇ ଚୌକା ବର୍ଷା କରି ଚାଲିଥିଲେ । ଦୁଇ ବ୍ୟାଟର ଓପନିଂରେ ୧୨୮ ରନ ଯୋଡିଥିଲେ । ଗିଲ୍ ୩୨ ରନର ଧିମା ଇନିଂସ ଖେଳି ଆଉଟ୍ ହୋଇଥିଲେ । ମଧ୍ୟକ୍ରମରେ ଜୋସ ବଟଲର ୨୫ ରନ କରିଥିଲେ ।
ସାଇ ବିସ୍ଫୋରକ ବ୍ୟାଟିଂ କରି ଚଳିତ ଆଇପିଏଲରେ ନିଜର ପ୍ରଥମ ଶତକ ହାସଲ କରିଥିଲେ । ଆଇପିଏଲରେ ଏହା ତାଙ୍କର ତୃତୀୟ ଶତକ । ସାଇ ସୁଦର୍ଶନ ୫୮ ବଲରୁ ୧୧ ଚୌକା ଓ ୫ ଛକା ସହ ୧୦୦ ରନ କରିବା ମାତ୍ରେ ଆଉଟ୍ ହୋଇଥିଲେ । ତାଙ୍କ ପରେ ଓ୍ାଶିଂଟନ ସୁନ୍ଦର ୧୯ ରନ ଓ ଜାସନ ହୋଲଡର ୧୦ ବଲରୁ ୨୩ ରନ କରି ଅପରାଜିତ ଥିଲେ । ଗୁଜରାଟ ନିର୍ଦ୍ଧାରିତ ଓଭରରେ ୩ ୱିକେଟ୍ ହରାଇ ୨୦୫ ରନ କରିଛି ।
Also Read: ମୁମ୍ବାଇ ଇଣ୍ଡିଆନ୍ସର ପରାଜୟର ପ୍ରମୁଖ କାରଣ କ’ଣ; ୱାଙ୍ଖେଡେରେ କେମିତି ରଣନୀତି କରିଥିଲା ଚେନ୍ନାଇ?