ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ପେଟିଏମ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଆରବିଆଇ ପେଟିଏମର ପେମେଣ୍ଟ୍ସ ବ୍ୟାଙ୍କର ଲାଇସେନ୍ସ ରଦ୍ଦ କରି ଦେଇଛି । ଏକ ପ୍ରେସ ବିଜ୍ଞପ୍ତିରେ ଆରବିଆଇ କହିଛି ଯେ, ପେଟିଏମ ପେମେଣ୍ଟଓ ବ୍ୟାଙ୍କ ଏବେ ବ୍ୟାଙ୍କିଙ୍ଗ ରେଗୁଲେସନ ଆକ୍ଟ ଆଧାରରେ ବ୍ୟାଙ୍କିଙ୍ଗ କାମ କରି ପାରିବ ନାହିଁ । ଆରବିଆଇ କହିଛି ଯେ, ବ୍ୟାଙ୍କର କାମଏବଂ ପରିଚାଳନା ସାଧାରଣ ଲୋକଙ୍କ ହିତରେ ନ ଥିଲା । ବ୍ୟାଙ୍କ ନିଜର ପେମେଣ୍ଟ ବ୍ୟାଙ୍କ ଲାଇସେନ୍ସର ସର୍ତ୍ତ ପାଳନ କରିବାରେ ବିଫଳ ରହିଛି ।
ଆରବିଆଇ ଏହା ମଧ୍ୟ କହିଛି ଯେ, ଏହି ବ୍ୟାଙ୍କକୁ ବନ୍ଦ କରିବା ପାଇଁ ହାଇକୋର୍ଟରେ ଆବେଦନ କରାଯିବ । ପେଟିଏମ ବ୍ୟାଙ୍କ ଲିମିଟେଡ ପାଖରେ ବ୍ୟାଙ୍କ ବନ୍ଦ ହେଲେ ବି ନିଜର ସେୟାର ହୋଲଡରଙ୍କୁ ସଂପୂର୍ଣ୍ଣ ଅର୍ଥ ଫେରାଇବା ପାଇଁ ପର୍ଯ୍ୟାପ୍ତ ନଗଦ ଉପଲବ୍ଧ ରହିଥିବା ଆରବିଆଇ କହିଛି ।
ଆରବିଆଇ ଅନୁସାରେ, ପେଟିଏମ ପେମେଣ୍ଟସ ବ୍ୟାଙ୍କର ସଂଚାଳନ ଯେଉଁ ପ୍ରକାର ହେଉଥିଲା, ତାହା ବ୍ୟାଙ୍କ ଏବଂ ଜମାକାରୀ ଉଭୟଙ୍କ ପାଇଁ କ୍ଷତିକାରକ ଥିଲା । ଏପରିକି ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଜମାକାରୀ ଏବଂ ସାଧାରଣ ଲୋକଙ୍କ ପ୍ରତି ଉଦ୍ଦେଶ୍ୟ ଠିକ୍ ନ ଥିଲା । ତେଣୁ ଏହି ବ୍ୟାଙ୍କକୁ ଜାରି ରଖିବାକୁ ଅନୁମତି ଦେବା କୌଣଶି ପ୍ରକାର ଜନହିତରେ ନ ଥିଲା । ଏହିସବୁ କାରଣକୁ ଦୃଷ୍ଟିରେ ରଖି ପ୍ରଥମେ ବ୍ୟାଙ୍କ ଉପରେ କଟକଣା ଲଗାଯାଇଥିଲା ଏବଂ ଏହାର ବ୍ୟାଙ୍କିଙ୍ଗ ଲାଇସେନ୍ସ ରଦ୍ଦ କରାଯାଉଛି ।
ଏହା ପୂର୍ବରୁ ଆରବିଆଇ ୨୦୨୪ରେ ପେଟିଏମ ପେମେଣ୍ଟସ ବ୍ୟାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ଆରବିଆଇ ୨୦୨୨ ମାର୍ଚ୍ଚ ୧୧ରୁ ନୂଆ ଗ୍ରାହକ ଯୋଡିବା ଉପରେ ରୋକ୍ ଲଗାଇଥିଲା । ପରେ ଗ୍ରାହକଙ୍କ ଖାତା ଏବଂ ୱାଲେଟରେ ଜମା, କ୍ରେଡିଟ୍ ଓ ଟପ ଅପ୍ ଉପରେ ମଧ୍ୟ କଟକଣା ଲଗା ଯାଇଥିଲା । ଏପରିକି ଆରବିଆଇ ପେଟିଏମ ପେମେଣ୍ଟସ ବ୍ୟାଙ୍କକୁ ନୂଆ ଜମା ବନ୍ଦ କରିବାକୁ ଆଦେଶ ଦେଇଥିଲା । ନିୟମ ଉଲ୍ଲଂଘନ କରିବା କାରଣରୁ କେନ୍ଦ୍ରୀୟ ବ୍ୟାଙ୍କ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ।