ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ ଓ ଡିଜେଲ୍ ଦାମକୁ ନେଇ ଆସିଛି ବଡ ଖବର । କିଛି ମିଡିଆ ରିପୋର୍ଟରେ ଦାବି କରାଯାଇଥିଲା ଯେ, ନିର୍ବାଚନ ପରେ ଦେଶର ପେଟ୍ରୋଲ ଓ ଡିଜେଲ୍ ଦାମ ୨୮ ଟଙ୍କା ପର୍ଯ୍ୟନ୍ତ ବଢିପାରେ । ଏହା ଉପରେ ସରକାର ଜବାବ ଦେଇଛନ୍ତି । ପେଟ୍ରୋଲିୟମ ମନ୍ତ୍ରଣାଳୟ ଏମିତି ଖବରକୁ ମିଥ୍ୟା କହିବା ସହ ଏହାକୁ ସଂପୂର୍ଣ୍ଣ ରୂପେ ଖାରଜ କରିଛନ୍ତି ।
ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ଟୁଇଟ୍ କରିଛନ୍ତି ଯେ, କିଛି ମିଡିଆରୁ ଖବର ପ୍ରକାଶ ପାଇଛି ଯେ, ନିର୍ବାଚନ ପରେ ଦେଶରେ ପେଟ୍ରୋଲ ଓ ଡିଜେଲ୍ ଦାମ ବୃଦ୍ଧି ଘଟିବ । ଏହାକୁ ନେଇ ସ୍ପଷ୍ଟ କରାଯାଉଛି ଯେ, ସରକାରଙ୍କ ବିଚାରଧୀନ ଏମିତି କୌଣସି ପ୍ରସ୍ତାବ ନାହିଁ । ଏମିତି ଖବର ଲୋକଙ୍କ ମଧ୍ୟରେ ଭୟ ଓ ଚିନ୍ତା ସୃଷ୍ଟି କରିବା ପାଇଁ ପ୍ରସାର କରାଯାଉଛି ।
ଏହା ସଂପୂର୍ଣ୍ଣ ରୂପେ ମିଥ୍ୟା ଓ ଭିତ୍ତିହୀନ । ବାସ୍ତବରେ ଭାରତ ଏକମାତ୍ର ଦେଶ ଯେଉଁଠି ଗତ ୪ ବର୍ଷରେ ପେଟ୍ରୋଲ ଓ ଡିଜେଲ ଦାମରେ ବୃଦ୍ଧି ଘଟିନାହିଁ । ଭାରତ ସରକାର ଓ ତୈଳ ବିପଣନକାରୀ କମ୍ପାନି ଅନ୍ତର୍ଜାତୀୟ ସ୍ତରରେ ବଢୁଥିବା ଦରରୁ ଭାରତୀୟ ନାଗରିକଙ୍କୁ ବଞ୍ଚାଇବା ପାଇଁ ଲଗାତାର ପଦକ୍ଷେପ ନେଉଛନ୍ତି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।
ରିପୋର୍ଟରେ କଣ ରହିଛି ?
କୋଟାକ ଇନଷ୍ଟିଚ୍ୟୁସନାଲ ଇକ୍ୟୁଟିର ରିପୋର୍ଟରେ ଏମିତି ଦାବି କରାଯାଉଛି ଯେ, ବର୍ତ୍ତମାନ ସ୍ଥିତିରେ ତେଲ ଲିଟର ପିଛା ୨୫ରୁ ୨୮ ଟଙ୍କା ବୃଦ୍ଧି କରିବା ଜରୁରୀ ପଡିପାରେ । ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୨୦ ଡଲାର ଛୁଇଁଲାଣି । ଏଥିରେ ତୈଳ କମ୍ପାନି ଓ ସରକାରଙ୍କ ଉପରେ ବହୁତ ଆର୍ଥିକ ଚାପ ରହିଛି । ସରକାରୀ ତୈଳ କମ୍ପାନି ପ୍ରତି ମାସରେ ପ୍ରାୟ ୨୭ ହଜାର କୋଟି ଟଙ୍କାର କ୍ଷତି ସହୁଛନ୍ତି । ଏମିତି ସ୍ଥିତି ଦୀର୍ଘ ସମୟ ରହି ପାରିବ ନାହିଁ ।
ସଂପ୍ରତି ସରକାର ଆମଦାନୀ ଶୁଳ୍କରେ ଲିଟର ପିଛା ୧୦ ଟଙ୍କା ଏବଂ ୱିଣ୍ଡଫଲ ଟ୍ୟାକ୍ସ ପରି ପଦକ୍ଷେପ ନେଇଛନ୍ତି । ମାତ୍ର ଏହା କେବଳ ଅସ୍ଥାୟୀ ଆଶ୍ୱସ୍ତି, ସ୍ଥାୟୀ ସମାଧାନ ନୁହେଁ । ହେଲେ ରିପୋର୍ଟରେ ଉଲ୍ଲେଖ ଏସବୁ ଦାବିକୁ ସରକାର ସଂପୂର୍ଣ୍ଣ ଖଣ୍ଡନ କରିଛନ୍ତି ।