ନୂଆଦିଲ୍ଲୀ: ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କୁ କ୍ୟାନସର । ଏହାର ସୂଚନା ଖୋଦ୍ ପ୍ରଧାନମନ୍ତ୍ରୀ ନେତନ୍ୟାହୁ ସୋସିଆଲ ମିଡିଆ ଜରିଆରେ ଦେଇଛନ୍ତି । ନେତନ୍ୟାହୁ କହିଛନ୍ତି, ୨୦୨୪ରେ ଏକ ଯାଞ୍ଚରେ ତାଙ୍କୁ କ୍ୟାନସର ହୋଇଥିବା ଜଣା ପଡିଥିଲା । ଡାକ୍ତର ଏହାର ସଫଳ ଚିକିତ୍ସା କରିଥିଲେ । ଏବେ ସ୍ଥିତି ପୂର୍ବ ତୁଳନାରେ ଭଲ ରହିଛି । ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଜାରି ବୟାନ ମୁତାବକ ନେତନ୍ୟାହୁଙ୍କୁ ପ୍ରୋଷ୍ଟେଟ କ୍ୟାନସର ହୋଇଥିଲା।
ପିଏମ ନେତନ୍ୟାହୁ ପୋଷ୍ଟରେ ଲେଖିଛନ୍ତି, ମୁଁ ଏବେ ସଂପୂର୍ଣ୍ଣ ସୁସ୍ଥ ଅଛି । ଡାକ୍ତର ଏକ ସେଣ୍ଟିମିଟରର ଏକ ଛୋଟ ଟ୍ୟୁମର ସର୍ଜରୀ କରି କ୍ୟାନସରକୁ ହଟାଇଥିଲେ । ଏ ପର୍ଯ୍ୟନ୍ତ ଏହାକୁ ନେଇ ମୁଁ କିଛି ଲେଖି ନ ଥିଲି । କାରଣ ଇରାନ ଏହା ଉପରେ ମିଥ୍ୟା ଏବଂ ଗୁଜବ ପ୍ରଚାର କରିଥାନ୍ତା । ସିଏନଏନ ଅନୁଯାୟୀ, ୨୦୨୪ ଡିସେମ୍ବରରେ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ଏକ ପ୍ରୋଷ୍ଟେଟ ସମ୍ବନ୍ଧିତ ସର୍ଜରୀ ହୋଇଥିଲା । ମାତ୍ର ସେ ସମୟରେ ଜଣା ପଡି ନ ଥିଲା ଯେ ଏହା କ୍ୟାନସରର ସର୍ଜରୀ ।
ପ୍ରଧାନମନ୍ତ୍ରୀ କଣ ଲେଖିଛନ୍ତି ?
ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତନ୍ୟାହୁ ଲେଖିଛନ୍ତି, ମୁଁ କ୍ୟାନସରକୁ ହରାଇ ଦେଇଛି । ଦେଢ ବର୍ଷ ପୂର୍ବେ ମୋତେ କ୍ୟାନସର ହୋଇଥିବା ଜାଣିବାକୁ ପାଇଥିଲି । ତୁରନ୍ତ ଏହାର ଚିକିତ୍ସା କରାଇବାକୁ ଚିନ୍ତା କରିଥିଲି । କିଛି ମାସ ପୂର୍ବେ ଏକ ରିପୋର୍ଟ ଆସିବାର ଥିଲା, ମାତ୍ର ମୁଁ ଏହାକୁ ଅଗ୍ରାହ୍ୟ କରି ଦେଇଥିଲି । ଆଜି ରିପୋର୍ଟ ଆସିଛି ଏବଂ ମୁଁ ଏଥିରେ ସଂପୂର୍ଣ୍ଣ ସୁସ୍ଥ ଅଛି । ମୋର ସୌଭାଗ୍ୟ ଏହା ଯେ, ଯେବେ ମୁଁ ସମସ୍ୟା ବିଷୟରେ ଜାଣିବାକୁ ପାଏ ତୁରନ୍ତ ଏହାର ସମାଧାନରେ ଜୁଟିଯାଏ । ଉଲ୍ଲେଖନୀୟ ୧୯ ବର୍ଷ ହେବ ନେତନ୍ୟାହୁ ଇସ୍ରାଏଲର ପ୍ରଧାନମନ୍ତ୍ରୀ ଅଛନ୍ତି ।
Also read: ୮୦୦୦ କର୍ମଚାରୀଙ୍କୁ ଛଟେଇ କରିବ ମେଟା