ମୁମ୍ବାଇ: ଆଇପିଏଲ୍ ୨୦୨୬ର ୩୩ତମ ମ୍ୟାଚ୍ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯିବ । ଏହି ମୁକାବିଲା ଆଇପିଏଲର ଦୁଇ ସଫଳ ଟିମ୍ ମଧ୍ୟରେ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯିବ । ହେଲେ ଗତ ଦୁଇଟି ସିଜିନର ରେକର୍ଡ ଦେଖିଲେ ଏହି ଦୁଇ ଦଳର ସ୍ଥିତି କେତେ ଖରାପ ତାହା କହିବାକୁ ବାକି ନାହିଁ । ୧୦ଟି ଦଳକୁ ନେଇ ଚାଲିଥିବା ଲଢେଇରେ ଏହି ଦୁଇ ଟିମ ନିଜର ଖ୍ୟାତି ଅନୁସାରେ ପ୍ରଦର୍ଶନ କରିବାରେ ବିଫଳ ହୋଇଛନ୍ତି । ଦୁଇଟି ଟିମ୍ ସବୁଠୁ ସଫଳ ହୋଇଥିଲେ ହେଁ ଧିରେ ଧିରେ ଦଳର ଗ୍ରାଫ ଖସିବାରେ ଲାଗିଛି ।
ଆଇପିଏଲରେ ମୁମ୍ବାଇ ଓ ଚେନ୍ନାଇ ସବୁଠୁ ଅଧିକ ୫-୫ ଥର ଚାମ୍ପିଅନ ହୋଇଛନ୍ତି । ସବୁଠୁ ଅଧିକ ଥର ପ୍ଲେ ଅଫ ଖେଳିବାରେ ଏହି ଦୁଇ ଦଳ ଆଖପାଖରେ ଆଉ କେହି ନାହାନ୍ତି । ମୁମ୍ବାଇ ୧୧ ଥର ପ୍ଲେ ଅଫ ଖେଳିଥିବା ବେଳେ ଚେନ୍ନାଇ ଖେଳିଛି ୧୨ ଥର । ଆଇପିଏଲରେ ମୁମ୍ବାଇ ୫୫ ପ୍ରତିଶତ ମ୍ୟାଚ୍ ଜିତିଥିବା ବେଳେ ଚେନ୍ନାଇ ଜିତିଛି ୫୬ ପ୍ରତିଶତ ।
ଆଇପିଏଲ୍ ୨୦୨୪ରୁ ହାରି ସାରିଲେଣି ୨୧ ମ୍ୟାଚ୍
ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସଙ୍କ ଗତ ଦୁଇଟି ସିଜିନ ଉପରେ ନଜର ପକାଇଲେ ଦଳର ପ୍ରଦର୍ଶନ କେମିତି ନିମ୍ନଗାମୀ ହୋଇଛି ତାହା ଜାଣି ପାରିବେ । ଗତ ଦୁଇ ବର୍ଷରେ ଦୁଇ ଦଳ ମିଶି ୨୧ଟି ମ୍ୟାଚ୍ ହାରିଛନ୍ତି । ୧୦ଟିମ ମଧ୍ୟରେ ଦୁଇ ଦଳ ସବୁଠୁ ଅଧିକ ମ୍ୟାଚ୍ ହାରିଛନ୍ତି ।
ରନ ଚେଜ୍ ମାମଲାରେ ବି ପଛରେ ଦୁଇ ଟିମ୍
ମୁମ୍ବାଇ ଓ ଚେନ୍ନାଇ ୨୦୨୪ରୁ ଏ ପର୍ଯ୍ୟନ୍ତ ବିଜୟ ଲକ୍ଷ୍ୟ ପିଛା କରି ସବୁଠୁ ଅଧିକ ମ୍ୟାଚ୍ ହାରିଛନ୍ତି । ମୁମ୍ବାଇ ୧୨ ଥର ହାରିଥିବା ବେଳେ ଚେନ୍ନାଇ ହାରିଛି ୧୦ଟି ମ୍ୟାଚ୍ । ତଥାପି ଦୁଇ ଦଳର ପ୍ରଶଂସକ ଏବେ ମଧ୍ୟ ଆଶା ରଖିଛନ୍ତି ଯେ, ଚଳିତ ସିଜିନରେ ସେମାନଙ୍କ ଦଳ ପ୍ରତ୍ୟାବର୍ତ୍ତନ କରିପାରେ ।
ଦୁଇ ଦଳ ମଧ୍ୟରେ ଆଇପିଏଲରେ ଏ ପର୍ଯ୍ୟନ୍ତ ୩୯ଟି ମ୍ୟାଚ୍ ଖେଳା ଯାଇଛି । ଏଥିରେ ଚେନ୍ନାଇର ପଲ୍ଲା ଭାରି ରହିଛି । ଚେନ୍ନାଇ ୨୧ଟି ଜିତିଥିବା ବେଳେ ମୁମ୍ବାଇ ଜିତିଛି ୧୮ଟି ମ୍ୟାଚ୍ । ଆଜିର ମୁକାବିଲାରେ ହାଇସ୍କୋରିଂ ମ୍ୟାଚ୍ ଦେଖିବାକୁ ମିଳିପାରେ ।