ବୁଧବାର ଆଇପିଏଲର ୩୨ ତମ ମ୍ୟାଚରେ ମୁହାଁମୁହିଁ ହେବେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଓ ରାଜସ୍ଥାନ ରୟାଲ୍ସ । ଲଗାତାର ୩ ଟି ପରାଜୟ ପରେ ଲକ୍ଷ୍ନୌ ନିଜ ଘରୋଇ ମୈଦାନରେ କମ୍-ବ୍ୟାକ୍ କରିବାକୁ ଚେଷ୍ଟା କରିବ । ତେବେ ଚଳିତ ସିଜିନରେ ନିଜ ଘରୋଇ ମୈଦାନ ଅଟଳ ବିହାରୀ ବାଜପେୟୀ ଏକାନ୍ନା ଷ୍ଟାଡିୟମରେ ଗୋଟେ ମଧ୍ୟ ମ୍ୟାଚ ଜିତି ନାହିଁ ଲକ୍ଷ୍ନୌ। ତେଣୁ ଅଧିନାୟକ ରିଷବ ପନ୍ତଙ୍କ ପାଇଁ ଆଜିର ମ୍ୟାଚ ବେଶ ଚ୍ୟାଲେଞ୍ଜିଙ୍ଗ ରହିବ । ଲକ୍ଷ୍ନୌର ବ୍ୟାଟିଂ ୟୁନିଟ ଦେଖିବାକୁ ଶକ୍ତ ନଜର ଆସୁଥିଲେ ମଧ୍ୟ ଖରାପ ପ୍ରଦର୍ଶନ କାରଣରୁ ଲଗାତାର ପରାଜୟର ଶିକାର ହେଉଛନ୍ତି ।
ଅନ୍ୟପଟେ, ରାଜସ୍ଥାନ ରୟାଲ୍ସ ଚଳିତ ସିଜିନ ବିସ୍ଫୋରକ ଅନ୍ଦାଜରେ ଆରମ୍ଭ କରିଥିଲା, କିନ୍ତୁ ଲଗାତାର ଦୁଇଟି ମ୍ୟାଚରେ ପରାଜୟ ଦଳ ପାଇଁ ଚିନ୍ତାର ବିଷୟ ପାଲଟିଛି । ତେବେ ସମ୍ପୂର୍ଣ୍ଣ ଆଇପିଏଲରେ ଏହି ଦୁଇ ଦଳ ୬ ଥର ମୁହାଁମୁହିଁ ହୋଇଛନ୍ତି, ରାଜସ୍ଥାନ ୪ ଟି ମ୍ୟାଚ ଜିତିଥିବାବେଳେ ଲକ୍ଷ୍ନୌ ମାତ୍ର ଦୁଇଟି ମ୍ୟାଚ ଜିତିଛି । ଲକ୍ଷ୍ନୌର ପ୍ରଦର୍ଶନ ଫ୍ୟାନ୍ସଙ୍କୁ ନିରାଶ କରିଛି, କାରଣ ଲକ୍ଷ୍ନୌ ୬ ଟି ମ୍ୟାଚରୁ ୨ ଟି ବିଜୟ ହାସଲ କରିଥିବାବେଳେ ବର୍ତ୍ତମାନ ପ୍ଲେଅଫ୍ସ ପାଇଁ କ୍ୱାଲିଫାଏ କରିବା ବେଶ କଷ୍ଟକର ।
ଲକ୍ଷ୍ନୌ ପାଇଁ ସବୁଠାରୁ ଅଧିକ ଚିନ୍ତାର ବିଷୟ ହେଉଛି ନିକୋଲାସ ପୁରନଙ୍କ ଖରାପ ଫର୍ମ । ଏକଦା ନିଜ ବ୍ୟାଟିଂ ବଳରେ ମ୍ୟାଚକୁ ଏକତରଫା କରିଦେଉଥିବା ପୁରନ ଫର୍ମରେ ନଥିବାରୁ ଲକ୍ଷ୍ନୌର ମିଡିଲ ଅର୍ଡର ଫିକା ପଡିଯାଇଛି । ଏହା ସହ ଦଳର ସବୁଠାରୁ ମହାଙ୍ଗା ଖେଳାଳି ତଥା ଦଳର ଅଧିନାୟକ ରିଷବ ପନ୍ତ ମଧ୍ୟ ସ୍କୋର କରିବାରେ ସଂଘର୍ଷ କରୁଛି, କେଉଁ କେଉଁ ମ୍ୟାଚରେ ରନ କରୁଥିଲେ ମଧ୍ୟ ବଡ ସ୍କୋର କରିପାରୁନାହାନ୍ତି ।
ରାଜସ୍ଥାନ ରୟାଲ୍ସର ଟପ୍ ଅର୍ଡର ଶକ୍ତିଶାଳୀ ଥିଲେ ମଧ୍ୟ ମିଡିଲ ଅର୍ଡର ଦୁର୍ବଳ ନଜର ଆସୁଛି । ବୈଭବ ସୂର୍ଯ୍ୟବଂଶୀ ଓ ୟଶସ୍ଵୀ ଜେସୱାଲ ଆଉଟ ହେବା ପରେ ଦଳର ବ୍ୟାଟିଂ ୟୁନିଟ ବେଶ ନିରାଶ କରୁଛି । ରାଜସ୍ଥାନ ପାଇଁ ବୈଭବ ସୂର୍ଯ୍ୟବଂଶୀ (୨୪୬), ୟଶସ୍ଵୀ ଜେସୱାଲ (୨୨୩) ଓ ଧ୍ରୁବ ଯୁରେଲ (୧୮୧) ଙ୍କୁ ଛାଡିଦେଲା ପରେ ଅନ୍ୟକୌଣସି ଖେଳାଳି ଚଳିତ ସିଜିନରେ ତିନି ଅଙ୍କ ବିଶିଷ୍ଟ ସ୍କୋର କରିନାହାନ୍ତି । ବ୍ୟାଟିଂ ଉଭୟ ରାଜସ୍ଥାନ ଓ ଲକ୍ଷ୍ନୌ ପାଇଁ ଚିନ୍ତାର ବିଷୟ ଥିବାବେଳେ ଆଜିର ମ୍ୟାଚ ଦୁଇ ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ହେବ।