ଆଇପିଏଲରେ ମାତ୍ର ୧୪ ବର୍ଷ ବୟସରେ ଡେବ୍ୟୁ କରି ନିଜ ପ୍ରତିଭା ବଳରେ ସମସ୍ତଙ୍କୁ ଚକିତ କରିଥିଲେ ଭାରତର ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀ । ଚଳିତ ଆଇପିଏଲ ସିଜିନରେ ଯଶପ୍ରୀତ ବୁମରାଙ୍କୁ ପ୍ରଥମ ବଲରେ ଛକା ମାରିବା ପରେ ଭାରତୀୟ ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଆୟାରଲ୍ୟାଣ୍ଡ ବିପକ୍ଷ ଟି-୨୦ ପାଇଁ ତାଙ୍କୁ ଚୟନ କରାଯିବା ନେଇ ଆଲୋଚନ ଚାଲିଥିବାବେଳେ ଭାରତର ପୂର୍ବତନ କ୍ରିକେଟର କ୍ରିସ ଶ୍ରୀକାନ୍ତ ମଧ୍ୟରେ ଏଥିରେ ନିଜ ମତ ରଖିଛନ୍ତି । ସେ କହିଛନ୍ତି ବୈଭବଙ୍କୁ ଯଥାଶୀଘ୍ର ଭାରତୀୟ ଦଳରେ ସୁଯୋଗ ଦିଆଯାଉ।
ତାଙ୍କ କହିବା ଅନୁଯାୟୀ ବୈଭବ ହେଉଛନ୍ତି ଭାରତର ପରବର୍ତ୍ତୀ ସଚିନ ତେନ୍ଦୁଲକର । ତେବେ ସଚିନ ମାତ୍ର ୧୬ ବର୍ଷ ବୟସରେ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିଲେ । ବୈଭବ ବର୍ତ୍ତମାନ ୧୫ ବର୍ଷ ବୟସର, ଓ ଏତେ ଯୁବ ବୟସରେ ସେ ଯେଉଁଭଳି ବ୍ୟାଟିଂ କରୁଛନ୍ତି, ତାହା ଦେଖି ସ୍ପଷ୍ଟ ଯେ ସେ ଅନ୍ତର୍ଜାତୀୟ କ୍ରିକେଟ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ । ଏହି କାରଣରୁ ଶ୍ରୀକାନ୍ତ, ବୈଭବଙ୍କୁ ତୁରନ୍ତ ଭାରତୀୟ ଦଳରେ ସାମିଲ କରିବାକୁ କହିଛନ୍ତି ।
ଏକ ସାକ୍ଷାତ୍କାରରେ ଶ୍ରୀକାନ୍ତ କହିଥିଲେ, ବୈଭବ ଯେଉଁଭଳି ବ୍ୟାଟିଂ କରୁଛନ୍ତି ତାହା ଅସାଧାରଣ ଓ ଏଭଳି ପ୍ରତିଭାଙ୍କୁ ସୁଯୋଗ ଦେବାର ଆବଶ୍ୟକତା ରହିଛି । ଏହା ସହ ସେ ଭାରତୀୟ ଚୟନକର୍ତ୍ତା କମିଟିର ମୁଖ୍ୟ ଅଜିତ ଅଗରକରଙ୍କୁ ମଧ୍ୟ ପରାମର୍ଶ ଦେଇଛନ୍ତି ବୈଭବଙ୍କୁ ଭାରତୀୟ ଦଳରେ ସୁଯୋଗ ଦେବା ପାଇଁ । ବୈଭବଙ୍କୁ ଆଗାମୀ ଟି-୨୦ ବିଶ୍ୱକପ ପାଇଁ ପ୍ରସ୍ତୁତ କରାଯାଉ ଓ ଏହା ପୂର୍ବରୁ ତାଙ୍କୁ ଭାରତୀୟ ଦଳରେ କିଛି ସମୟ ବିତାଇବାର ସୁଯୋଗ ମିଳୁ ।