ଚଳିତ ସିଜିନରେ ସଂଘର୍ଷ କରୁଥିବା ଦିଲ୍ଲୀ କ୍ୟାପିଟାଲ୍ସର ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ଅଷ୍ଟ୍ରେଲିଆର ଦ୍ରୁତ ବୋଲର ମିଚିଲ ଷ୍ଟାର୍କ ଖୁବଶୀଘ୍ର ଦିଲ୍ଲୀ କ୍ୟାମ୍ପରେ ଯୋଗ ଦେବାକୁ ଯାଉଛନ୍ତି । ଆହତ ଥିବାରୁ ଆଇପିଏଲ ୨୦୨୬ ର ପ୍ରଥମ ପର୍ଯ୍ୟାୟ ଖେଳିନଥିବାବେଳେ ବର୍ତ୍ତମାନ କ୍ରିକେଟ ଅଷ୍ଟ୍ରେଲିଆ ତାଙ୍କ ଫିଟନେସକୁ ନେଇ ସବୁଜ ସଂକେତ ଦେଇଛି । ବାମ ହାତୀ ଦ୍ରୁତ ବୋଲର ଷ୍ଟାର୍କ, ୧ ମଇରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚରେ ଉପଲବ୍ଧ ରହିବେ ବୋଲି ଆଶା କରାଯାଉଛି।
ମିଚିଲ ଷ୍ଟାର୍କଙ୍କ ପ୍ରତ୍ୟାବର୍ତ୍ତନ ଖବର ଦିଲ୍ଲୀ ଫ୍ୟାନ୍ସଙ୍କ ମନରେ ବେଶ ଉତ୍ସାହ ଭରି ଦେବ । ବର୍ତ୍ତମାନ ସୁଦ୍ଧା ଦିଲ୍ଲୀ ୬ ଟି ମ୍ୟାଚ ଖେଳିଥିବାବେଳେ ୩ ଟି ମ୍ୟାଚରେ ବିଜୟ ସହ ପଏଣ୍ଟ ଟେବୁଲର ପଞ୍ଚମ ସ୍ଥାନରେ ରହିଛି । ଏହି ସମୟରେ ଷ୍ଟାର୍କଙ୍କ ପ୍ରତ୍ୟାବର୍ତ୍ତନ ଦିଲ୍ଲୀ ପାଇଁ ଟର୍ଣ୍ଣିଙ୍ଗ ପଏଣ୍ଟ ହୋଇପାରେ ।
ମିଚିଲ ଷ୍ଟାର୍କ ଆଇପିଏଲ ୨୦୨୫ରେ ଦିଲ୍ଲୀର ପ୍ରମୁଖ ଦ୍ରୁତ ବୋଲର ଥିଲେ । ଷ୍ଟାର୍କ ୨୦୨୫ ଆଇପିଏଲ ସିଜିନରେ ୧୧ ଟି ମ୍ୟାଚରେ ୧୪ ଟି ୱିକେଟ୍ ନେଇଥିଲେ। ଚଳିତ ସିଜିନରେ ତାଙ୍କ କମ୍-ବ୍ୟାକ୍ ପାଇଁ ଦିଲ୍ଲୀ ଫ୍ୟାନ୍ସ ଅପେକ୍ଷା କରିଛନ୍ତି ।
ମିଚିଲ ଷ୍ଟାର୍କଙ୍କ ବ୍ୟତୀତ ଅନ୍ୟ ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ଚଳିତ ସିଜିନର ପ୍ରଥମ ପର୍ଯ୍ୟାୟ ଖେଳିନଥିଲେ । ୭ ଟି ମ୍ୟାଚ ପରେ ପ୍ୟାଟ୍ କମିନ୍ସ ସନରାଇଜର୍ସ ହାଇଦ୍ରାବାଦରେ ଯୋଗ ଦେଇଛନ୍ତି ଓ ଖୁବଶୀଘ୍ର ସେ ମଧ୍ୟ ପଡିଆକୁ ଓହ୍ଲାଇବେ । ପୂର୍ବରୁ ଯଶ ହାଜେଲଉଡ୍ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁରେ ଯୋଗ ଦେଇସାରିଛନ୍ତି । ଏବେ ସମସ୍ତଙ୍କ ନଜର ରହିଛି ମିଚିଲ ଷ୍ଟାର୍କଙ୍କ ଉପରେ, ସେ କେବେ ଦିଲ୍ଲୀ କ୍ୟାମ୍ପରେ ଯୋଗଦେବେ ଓ ପଡିଆରେ ଓହ୍ଲାଇବେ ।