ନୂଆଦିଲ୍ଲୀ: ହରଭଜନ ସିଂ ଓ ଏସ ଶ୍ରୀସନ୍ଥଙ୍କ ଚାପୁଡା କାଣ୍ଡ ପୁଣି ଥରେ ଚର୍ଚ୍ଚାକୁ ଆସିଛି । ଶ୍ରୀସନ୍ଥ ନିକଟରେ ଦାବି କରିଥିଲେ ଯେ, ଭଜ୍ଜି ଏହି ଘଟଣାରୁ ଏକ କୋଟି ଟଙ୍କା ଆୟ କରିଛନ୍ତି । ବେଳେ ବେଳେ ଏହି ଦୁଇ ବିଶ୍ୱକପ ବିଜେତା ଖେଳାଳିଙ୍କ ବୟାନ କାରଣରୁ ଏହି ପ୍ରସଙ୍ଗ ଚର୍ଚ୍ଚାର ବିଷୟ ପାଲଟି ଆସିଛି । ଗତ ଦିନରେ ଆଇପିଏଲର ପୂର୍ବତନ ଚେୟାରମ୍ୟାନ ଲଳିତ ମୋଦୀ ଏହି ଚାପୁଡା ଘଟଣାର ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରି ସଭିଙ୍କୁ ଚକିତ କରିଥିଲେ । ଶ୍ରୀସନ୍ଥଙ୍କ କହିବା କଥା ଏହି ଘଟଣା ପାଇଁ ସେ ହରଭଜନ ସିଂଙ୍କୁ କ୍ଷମା କରି ସାରିଛନ୍ତି, ମାତ୍ର ସେ ଏହାକୁ କେବେ ଭୁଲି ପାରିବେ ନାହିଁ । ଏଥିରୁ ଏହା ଜଣା ପଡୁଛି ଯେ ଭଜ୍ଜି ଓ ଶ୍ରୀସନ୍ଥଙ୍କ ସଂପର୍କରେ ପୁଣି ଥରେ ତିକ୍ତତା ଆସିଛି ।
ଆଇପିଏଲର ସବୁଠୁ ବଡ ବିବାଦୀୟ ଘଟଣା ମଧ୍ୟରୁ ଅନ୍ୟତମ ହରଭଜନ ସିଂ ଓ ଏସ ଶ୍ରୀସନ୍ଥଙ୍କ ଚାପୁଡା କାଣ୍ଡ ଆଇପିଏଲର ପ୍ରଥମ ସିଜିନରେ ଘଟିଥିଲା । ସେହି ସମୟରେ ହରଭଜନ ମୁମ୍ବାଇ ଇଣ୍ଡିଆନ୍ସ ଓ ଶ୍ରୀସନ୍ଥ ପଞ୍ଜାବ କିଙ୍ଗ୍ସ ପକ୍ଷରୁ ଖେଳୁଥିଲେ । ଦୁଇ ଦଳ ମଧ୍ୟରେ ମ୍ୟାଚ୍ ପରେ ଖେଳାଳି କରମର୍ଦ୍ଦନ କରିବା ସମୟରେ ଭଜ୍ଜି ଶ୍ରୀସନ୍ଥଙ୍କୁ ଚାପୁଡା ମାରିଥିଲେ । ଏହି ବିବାଦ ପରେ ହରଭଜନ ସିଂଙ୍କ ଉପରେ ବ୍ୟାନ ବି ଲାଗିଥିଲା ।
ମାଲାୟଲମ ନ୍ୟୁଟ ଆଉଟଲେଟ ମାତୃଭୂମିରେ ଶ୍ରୀସନ୍ଥ କହିଛନ୍ତି ଯେ ମୁଁ କେବେ ବି କୌଣସି ସାକ୍ଷାତକାରରେ ଭଜ୍ଜିଙ୍କ ବିଷୟରେ କହି ନାହିଁ । ଏହା ପ୍ରଥମ ଥର ହେବାକୁ ଯାଉଛି । ଆଜି ପର୍ଯ୍ୟନ୍ତ କୌଣସି ସମସ୍ୟା ନ ଥିଲା । ମାତ୍ର ଭଜ୍ଜି ଥରେ ଏହି ବିଷୟରେ ବିଜ୍ଞାପନ କରିଥିଲେ । ଏଥିରୁ ସେ ପାଖପାଖି ୮୦ ଲକ୍ଷ ଟଙ୍କାରୁ ଏକ କୋଟି ପର୍ଯ୍ୟନ୍ତ ଆୟ କରିଥିଲେ । ପୁଣି ସେ ମୋତେ କଲ୍ କରିଥିଲେ ଏବଂ ଏହି ବିଷୟରେ ଏକ ଷ୍ଟୋରୀ ପୋଷ୍ଟ କରିବାକୁ କହିଥିଲେ ।
ମୁଁ ତାଙ୍କୁ କହିଥିଲି ମୁଁ କ୍ଷମା କରି ଦେବି, ମାତ୍ର କେବେ ଏହି ଘଟଣାକୁ ଭୁଲି ପାରିବି ନାହିଁ । ଯଦି କେହି ଆପଣଙ୍କ ସହ ଭୁଲ୍ କରିଛି, ତେବେ କ୍ଷମା କରି ଦେବା ଉଚିତ୍, କିନ୍ତୁ କେବେ ଭୁଲିବା ଉଚିତ୍ ନୁହେଁ । ଯଦି ଆପଣ ଭୁଲି ଯିବେ ତେବେ ସେ ପୁଣି ଥରେ ଭୁଲ୍ କରିବେ ।
ହରଭଜନଙ୍କ ସଦ୍ୟତମ ବ୍ୟବହାରରେ ନିରାଶ ଶ୍ରୀସନ୍ଥ କହିଛନ୍ତି, ଏବେ ତାଙ୍କର ଟର୍ବାନେଟରଙ୍କ ସହ କୌଣସି ସଂପର୍କ ନାହିଁ, ଯାହାଙ୍କୁ ସେ ଭାଇ କହୁଥିଲେ । କିନ୍ତୁ ୨୦୦୮ ଘଟଣାରେ ସେ ହରଭଜନଙ୍କୁ କ୍ଷମା କରି ସାରିଛନ୍ତି । କିନ୍ତୁ ଘଟଣାକୁ ଭୁଲି ନାହାନ୍ତି । ମାସେ ଦୁଇ ମାସ ପୂର୍ବରୁ ସେ ଏହି ଘଟଣା ସଂପର୍କରେ ଏକ ବିଜ୍ଞାପନ କରିବାରୁ ମୁଁ ତାଙ୍କୁ ଇନଷ୍ଟାଗ୍ରାମରେ ବ୍ଲକ କରି ଦେଇଛି ।