ଭୁବନେଶ୍ୱର: ରାଜ୍ୟ ସରକାର ଏକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଛନ୍ତି । ଓଡ଼ିଶା ରାଜ୍ୟ ବୃତ୍ତି, ବାଣିଜ୍ୟ, ଆହ୍ୱାନ ଏବଂ ନିଯୁକ୍ତି ଆଇନ ୨୦୦୦କୁ ପ୍ରତ୍ୟାହୃତ କରିଛନ୍ତି । ଅର୍ଥାତ ସରକାର ‘ବୃତ୍ତିଗତ ଟିକସ’ ବା ‘ପ୍ରଫେସନାଲ୍ ଟିକସ’ ଆଇନ ଉଚ୍ଛେଦ କରିଛନ୍ତି । ଫଳରେ ରାଜ୍ୟରେ ସମସ୍ତ କର୍ମଚାରୀଙ୍କ ଉପରେ ଏକ ଆର୍ଥିକ ବୋଝ ହ୍ରାସ ପାଇବ । ଏହି ପ୍ରଫେସନାଲ ଟ୍ୟାକ୍ସ ସଂଗ୍ରହ ନକରିବାକୁ ମଧ୍ୟ ଅର୍ଥ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି ।
ରାଜ୍ୟ ଅର୍ଥ ବିଭାଗ ସମସ୍ତ ବିଭାଗୀୟ ମୁଖ୍ୟ ଓ ଡିଡିଓଙ୍କୁ ଚିଠି ଲେଖିଛନ୍ତି । ଏପ୍ରିଲ ପହିଲାରୁ ୨୦୨୬ରୁ ଏହି ନିୟମ ପିଛିଲାଭାବେ ଲାଗୁ ହେବ । କୌଣସି କର୍ମଚାରୀଙ୍କ ଦରମାରୁ ବୃତ୍ତି ଟିକସ ବାବଦକୁ ଅର୍ଥ କଟାଯିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ଏ ନେଇ ଏପ୍ରିଲ ୨୧ ତାରିଖରେ ‘ଓଡ଼ିଶା ରାଜ୍ୟ ପ୍ରଫେସନାଲ ଟ୍ୟାକ୍ସ (ଉଚ୍ଛେଦ) ଅଧ୍ୟାଦେଶ - ୨୦୨୬’ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଚଳିତ ମାସ ବଜେଟରେ ବୃତ୍ତିଗତ ଟିକସ ନେଇ ସରକାର ଘୋଷଣା କରିଥିଲେ । ରାଜ୍ୟ ସରକାର ଅଧିନରେ କାର୍ୟ୍ୟକରୁଥିବା ସମସ୍ତ କର୍ମଚାରୀ, ଘରୋଇ ଚାକିରିଆ ଏବଂ ବ୍ୟବସାୟ କରୁଛନ୍ତି, ସେମାନଙ୍କୁ ସେମାନଙ୍କର ବାର୍ଷିକ ଆୟ ୧ ଲକ୍ଷ ୬୦ ହଜାରୁ ୩ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ନିଜ ଦରମାରୁ ୧୫୦୦ ଟଙ୍କା ଟିକସ ଦେବାକୁ ପଡ଼ୁଥିଲା । ସେହିପରି ଯେଉଁମାନଙ୍କର ବାର୍ଷିକ ଆୟ ୩ ଲକ୍ଷ ଟଙ୍କାରୁ ଅଧିକ ଅଛି ସେମାନେ ୨୦୦୦ ଟଙ୍କା ଦେଉଥିଲେ । ସମସ୍ତେ ଆୟକର ଦାଖଲ କରୁଥିବାବେଳେ ଦରମାରୁ ଆଉ ଏକ ବୃତ୍ତିଗତ ଟିକସ ଦେଉଥିଲେ । ଯାହା କର୍ମଚାରୀଙ୍କ ଉପରେ ଏକ ଆର୍ଥିକ ବୋଝ ଥିଲା ।