ବଲାଙ୍ଗୀର: ବଲାଙ୍ଗିର ଜିଲ୍ଲାରେ ଏକ ଚାଂଚଲ୍ୟକର ଘଟଣା ଆସିଛି, ଯେଉଁଠାରେ ବିବାହ ମଣ୍ଡପରୁ ବରକୁ ପୋଲିସ ଉଠାଇ ନେଇଛି। ବଲାଙ୍ଗିର ଜିଲ୍ଲା ପୁଇଁନ୍ତଳା ଥାନା ଅଞ୍ଚଳର ଗଣ୍ଡବହାଲ ଗାଁର ରୁକ୍ମଣ ମେସ୍ବା ନାମକ ଯୁବକ ବୌଦ୍ଧ ଜିଲ୍ଲାର ବାଉଁଶୁଣି ଅଞ୍ଚଳର ଜିରାମୁଣ୍ଡା ମନ୍ଦିରରେ ଦ୍ୱିତୀୟ ବିବାହ କରୁଥିବା ବେଳେ ଏଭଳି ଘଟଣା ଘଟିଛି।
ସମ୍ପୂର୍ଣ୍ଣ ବିବାହ ଆୟୋଜନ ବେଶ ଧୂମଧାମରେ ଚାଲିଥିଲା। ବରଯାତ୍ରୀ ନାଚଗୀତରେ ମଗ୍ନ ହୋଇ କନ୍ୟା ଘରେ ପହଞ୍ଚିଥିଲେ। ମଣ୍ଡପ ସଜାଯାଇଥିଲା ଏବଂ ପୂଜା ପାଠ ସହ ମନ୍ତ୍ର ଉଚ୍ଚାରଣ ଚାଲିଥିଲା। ସମସ୍ତେ ବିବାହର ଖୁସିରେ ମଗ୍ନ ଥିବା ବେଳେ ହଠାତ୍ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ପୁରା ପରିବର୍ତ୍ତନ କରିଦେଲା।
ପ୍ରଥମ ପତ୍ନୀଙ୍କ ଅଭିଯୋଗ ଅନୁସାରେ, ରୁକ୍ମଣ ପୂର୍ବରୁ ବିବାହିତ ଥିବା ସତ୍ତ୍ୱେ ଦ୍ୱିତୀୟ ବିବାହ କରୁଥିଲେ। ଏହାକୁ ନେଇ ପୂର୍ବରୁ ମାମଲା ମଧ୍ୟ ରହିଥିଲା। ଅଭିଯୋଗ ପାଇ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇ ବେଦିରୁ ବରକୁ ଉଠାଇ ନେଲା, ଫଳରେ ବିବାହ ଅଧାରେ ରହିଗଲା। ପୋଲିସ ଯୁବକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ଏବଂ ଘଟଣାର ଅଧିକ ତଦନ୍ତ ଜାରି ରହିଛି।
ଅଧିକ ପଢନ୍ତୁ: ବେଙ୍ଗାଲୁରୁରେ ପ୍ରେମିକଙ୍କୁ ଜୀବନ୍ତ ଜାଳିବା ମାମଲା: ପୋଲିସ ଆଗରେ ଦୋଷ ମାନିଲା ଅଭିଯୁକ୍ତ