ରାଜଧାନୀ ଭୁବନେଶ୍ୱରର ପଳାଶୁଣି ଛକ ନିକଟରେ ବୁଧବାର ଦିନ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଜାତୀୟ ରାଜପଥ-୧୬ ଉପରେ ଚାଲୁଥିବା ଅବସ୍ଥାରେ ଏକ ଟ୍ରକରେ ହଠାତ୍ ନିଆଁ ଲାଗିଯାଇଛି। ଚାହୁଁ ଚାହୁଁ ଟ୍ରକଟି ହୁତୁହୁତୁ ହୋଇ ଜଳିଉଠିଥିଲା। ଏହି କାରଣରୁ ଅଞ୍ଚଳରେ ଭୟ ଓ ଅସ୍ଥିରତା ସୃଷ୍ଟି ହୋଇଥିଲା।
ସୂଚନା ଅନୁଯାୟୀ, ଟ୍ରକଟିରେ ହଠାତ୍ ନିଆଁ ଲାଗିଯାଇଥିଲା ଏବଂ କିଛି ସମୟ ପରେ ନିଆଁ ଭୟଙ୍କର ରୂପ ନେଇଥିଲା। ଡ୍ରାଇଭର ଓ ହେଲପର ତୁରନ୍ତ ଟ୍ରକରୁ ବାହାରି ଯାଇଥିବାରୁ ସେମାନେ ଅଳ୍ପକେ ଜୀବନ ବଞ୍ଚାଇ ପାରିଛନ୍ତି। ଘଟଣାର ସୂଚନା ପାଇବା ପରେ ଅଗ୍ନିଶମ ବାହିନୀର ଟିମ୍ ତୁରନ୍ତ ସ୍ଥାନୀୟ ଅଞ୍ଚଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିଥିଲେ। କିଛି ସମୟର ପ୍ରଚେଷ୍ଟା ପରେ ନିଆଁକୁ ସଫଳତାର ସହ ଆୟତ୍ତ କରାଯାଇଥିଲା।
ଏହି ଘଟଣା ପରେ ଓଭରବ୍ରିଜ୍ ଉପରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଯାତାୟାତ ପୂରାପୂରି ଠପ୍ ହୋଇପଡ଼ିଥିଲା। ଦୁଇପଟେ ଲମ୍ବା ଗାଡ଼ି ଲାଇନ୍ ଦେଖିବାକୁ ମିଳିଥିଲା। ଅଗ୍ନିକାଣ୍ଡର କାରଣ କଣ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବାବେଳେ ପୁଲିସ ଓ ପ୍ରଶାସନ ତଦନ୍ତ ଆରମ୍ଭ କରିଛନ୍ତି। ଟ୍ରାଫିକ ସମସ୍ୟା ଉପୁଜିବାରୁ ପଳାଶୁଣୀ ରାସ୍ତାରେ ଯାତାୟାତ କଟକଣା ଲାଗୁ କରିଛି ପୋଲିସ। ୧ ଘଣ୍ଟା ପାଇଁ ଏହି କଟକଣା ଲାଗୁ ହୋଇଛି। ଟ୍ରକ ଜାଳିବା ପରେ ସମସ୍ୟା ହେବାରୁ ବିକଳ୍ପ ରାସ୍ତା ଦେଇ ଯିବାକୁ ପରାମର୍ଶ ଦେଇଛି ପୋଲିସ।