ଝାରସୁଗୁଡ଼ା: ଲାଞ୍ଚ ନେଇ ଭିଜିଲାନ୍ସ ଧରାପଡ଼ିଛନ୍ତି ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସେକ୍ସନ୍ ଅଫିସର । ଜଣେ ଜିଏନ୍ଏମ୍ ଶିକ୍ଷକଙ୍କ ଠାରୁ ଅଢ଼େଇ ହଜାର ଟଙ୍କା ଲାଞ୍ଚ ନେଉଥିବା ସେକ୍ସନ୍ ଅଫିସର ଅନିତ କୁମାର ଗୁରୁଙ୍କୁ ଭିଜିଲାନ୍ସ ଗିରଫ କରିଛି ।
ଆଉ ଜିଏନ୍ଏମ୍ ଶିକ୍ଷକ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜିଏନ୍ଏମ୍ ଛାତ୍ରଛାତ୍ରୀଙ୍କ ତାଲିମ ପାଇଁ ଆବଶ୍ୟକ ଅନୁମତି ପାଇଁ ଆବେଦନ କରିଥିଲେ । ମାତ୍ର ସେକ୍ସନ୍ ଅଫିସର ଅନିତ ଗୁରୁ ଶିକ୍ଷକଙ୍କ ଠାରୁ ଅଢ଼େଇ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ । ଏ ନେଇ ଶିକ୍ଷକ ଜଣକ ଭିଜିଲାନ୍ସ ବିଭାଗକୁ ଜଣାଇଛଥିଲେ । ଏହା ପରେ ତାଙ୍କୁ ଧରିବାକୁ ଭିଜିଲାନ୍ସ ଜାଲ ବିଛାଇଥିଲା । ଆଜି ଅନିତ ଗୁରୁ ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଧରିଥିଲା । ତାଙ୍କ ନିକଟରୁ ଉକ୍ତ ଲାଞ୍ଚ ଟଙ୍କା ଜବତ କରିଛି ।
ତେବେ ଏହା ଅନିତ ଗୁରୁଙ୍କ ନାମରେ ପ୍ରଥମ ଅଭିଯୋଗ ନୁହେଁ । ପୂର୍ବରୁ ମଧ୍ୟ ସେ ଏମିତି ଅନେକ ଜିଏନ୍ଏମ୍ ଶିକ୍ଷକଙ୍କୁ ଲାଞ୍ଚ ମାଗି ହଇରାଣ କରିଥିବା ଅଭିଯୋଗ ରହିଥିଲା । ଏହା ପରେ ତାଙ୍କର ଦୁଇଟି ଠିକଣାରେ ଭିଜିଲାନ୍ସ ଚଢ଼ଉ କରିଛି । ଏହା ସହିତ ରାଉରକେଲା ଭିଜିଲାନ୍ସ ନିକଟରେ ମାମଲା ରୁଜୁ କରାଯାଇଛି ।