ଭୁବନେଶ୍ୱର: ଭୋଟର୍ ତାଲିକାରୁ ୯ ଲକ୍ଷରୁ ଉର୍ଦ୍ଧ୍ୱ ମତଦାତାଙ୍କ ନାମ ବାଦ ପଡ଼ିବା ପ୍ରତିବାଦରେ ବିଜୁ ଜନତା ଦଳ ତାତିଛି । ବୁଧବାର ବିଜେଡ଼ି ପକ୍ଷରୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ୟ୍ୟାଳୟ ଘେରାଉ କରାଯାଇଛି । ବିଜୁ ଯୁବ, ଛାତ୍ର ଓ ମହିଳା ଜନତା ଦଳ ପକ୍ଷରୁ ବିକ୍ଷୋଭ କରାଯାଇଛି । ବିଜୁ ଯୁବ ସଭାପତି ଚିନ୍ମୟ ସାହୁ, ଛାତ୍ର ଜନତା ଦଳର ସଭାନେତ୍ରୀ ଇପସିତା ସାହୁଙ୍କ ନେତୃତ୍ୱରେ ପ୍ରତିବାଦ କରାଯାଇଛି ।
ବିଜେଡ଼ି ଅଭିଯୋଗ କରିଛି ଯେ ଏସ୍ଆଇଆର୍ ମାଧ୍ୟମରେ ଦେଶରେ ୫ କୋଟିରୁ ଉର୍ଦ୍ଧ୍ୱ ଲୋକଙ୍କ ନାମ କଟାଯାଇଛି । ସେହିପରି ଓଡ଼ିଶାରୁ ପ୍ରାୟ ୧୦ ଲକ୍ଷ ମତଦାତାଙ୍କ ନାମ ଭୋଟର୍ ତାଲିକାରୁ କଟାଯାଇଛି । ଯଦି ଜଣେ ଏନଆରଆଇ ଦେଶ ବାହାରେ ଥାଇ ସମସ୍ତ କାଗଜପତ୍ର ଦେଇ ଭୋଟ୍ ଦେଇ ପାରୁଛନ୍ତି, ତେବେ ରାଜ୍ୟ ବାହାରେ ରହୁଥିବା ଜଣେ ଶ୍ରମିକଙ୍କ ନାମ କାହିଁକି ତାଲିକାରୁ କଟାଯାଇଛି ତାର ଜବାବ ମାଗିଛି ବିଜେଡ଼ି ।
ସମସ୍ତଙ୍କର ଭୋଟ୍ ଦେବାର ଅଧିକାର ରହିଛି । ଯଦି ଲୋକେ ତାଙ୍କ ଅଧିକାର ବଞ୍ଚିତ ହୁଅନ୍ତି, ତେବେ ବିଜେଡ଼ି ପ୍ରତିବାଦ କରିବ । ଏହା କେବଳ ଟ୍ରେଲର୍ ବୋଲି କହିଛନ୍ତି ଇପସିତା ସାହୁ । ଆଜି ଦଳର କର୍ମୀ ଓ ହୋଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି ଏବଂ ଏହି ଅନ୍ୟାୟ ନିଷ୍ପତ୍ତିକୁ ତୁରନ୍ତ ରଦ୍ଦ କରିବାକୁ ଦାବି କରିଛନ୍ତି।
ଏଠାରେ ଉଲ୍ଲେଖ ଯୋଗ୍ୟ, ପ୍ରାୟ ୯ ଲକ୍ଷ ୮୦ ମତଦାତା ଭୋଟର୍ ତାଲିକାରୁ ବାଦ୍ ପଡ଼ିଛନ୍ତି । ବିଏଲଓ ମାନେ କ୍ଷେତ୍ର ପରିଦର୍ଶନ ନକରି କିଛି ବ୍ୟକ୍ତିଙ୍କ ନାମ କାଟିଥିବା ଅଭିଯୋଗ ହୋଇଛି । ତେଣୁ ମୁଖ୍ୟ ନିର୍ବାଚନ ଅଧିକାରୀ ଏହାକୁ ସ୍ଥଗିତ ରଖି ପୁନର୍ବାର ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।