ଭୁବନେଶ୍ଵର: ମହିଳା ସଂରକ୍ଷଣ ବିଲକୁ ବିରୋଧ କରିବା ଇଣ୍ଡି ମେଣ୍ଟ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ । ଇଣ୍ଡି ବିରୋଧରେ ଗାଁଠୁ ଆରମ୍ଭ କରି ରାଜ୍ୟ ସ୍ତରରେ ଆନ୍ଦୋଳନ ହେବ । ଏଥିରେ ମହିଳାଠାରୁ ଆରମ୍ଭ କରି କଲେଜ ଛାତ୍ରୀ ସମସ୍ତେ ସାମିଲ ହେବେ । ଏଭଳି କିଛି ଯୋଜନା ପ୍ରସ୍ତୁତ କରିଛି ରାଜ୍ୟ ବିଜେପି । ଦେଶର ମହିଳାମାନଙ୍କୁ ଅପମାନ କରି, ଉତ୍ସବ ପାଳନ କରିଛି ଇଣ୍ଡି ମେଣ୍ଟ । ଏଥିପାଇଁ ମହିଳା ଆକ୍ରୋଶର ଶୀକାର ହେବେ ଇଣ୍ଡି ମେଣ୍ଟର ସଦସ୍ୟ । ଗାଁ ଗାଁରେ ଇଣ୍ଡି ମେଣ୍ଟର ନେତାଙ୍କ କଳା ପତାକା ଦେଖାଯିବ ବୋଲି କହିଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର ।
ପ୍ରଭାରୀ ତୋମାର କହିଛନ୍ତି ଯେ ବିରୋଧୀ ଇଣ୍ଡି ମେଣ୍ଟ ଦେଶର ମହିଳାମାନଙ୍କୁ ଅପମାନ କରିଛି । ପାପ କରି ଉତ୍ସବ ପାଳନ କରିଛନ୍ତି । ଏଥିପାଇଁ ସାରା ଦେଶର ମହିଳା ଆକ୍ରୋଶିତ ଅଛନ୍ତି । ଇଣ୍ଡି ମେଣ୍ଟ ମହିଳା ଆକ୍ରୋଶର ଶୀକାର ହେବ । ସେହିପରି ମହିଳା ସଂରକ୍ଷଣ ବିଲକୁ ବିରୋଧ କରିବାକୁ ଯିଏ ବି କଂଗ୍ରେସ ସହିତ ସହଯୋଗ କରିଛନ୍ତି ସେମାନେ ମଧ୍ୟ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ଦୋଷୀ । ଇଣ୍ଡି ମେଣ୍ଟର ଏହି ହୀନ କାର୍ଯ୍ୟ ସମ୍ପର୍କରେ ରାଜ୍ୟସ୍ତରରେ ବଡ଼ ଆନ୍ଦୋଳନ କରାଯିବ । ଜିଲ୍ଲା, ମଣ୍ଡଳ, ପଞ୍ଚାୟତ ଏବଂ ଗାଁ ଗାଁରେ ପହଁଚିବ ଆନ୍ଦୋଳନ । ଖାଲି ସେତିକି ନୁହେଁ ଏଥିରେ ଛାତ୍ରୀମାନେ ମଧ୍ୟ ସାମିଲ ହେବେ । ମହାବିଦ୍ୟାଳୟଠାରୁ ଆରମ୍ବ ବିଶ୍ୱବିଦ୍ୟାଳୟରେ ଇଣ୍ଡି ବିରୋଧୀ ଆନ୍ଦୋଳନ ହେବ । ଇଣ୍ଡି ମେଣ୍ଟର ନେତାଙ୍କୁ କଳା ରଙ୍ଗର ପତାକା ଦେଖାଯିବ । ଏହା ଆନ୍ଦୋଳନ ଆଗାମୀ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି କହିଛନ୍ତି ପ୍ରଭାରୀ ।