କଟକ: ପବିତ୍ର ଅକ୍ଷୟ ତୃତୀୟାରେ ଚଷା ଭାଇ ଓଠରେ ହସ ଫୁଟିଛି । ଘରକୁ ଆସିଛନ୍ତି ଧନ ଲକ୍ଷ୍ମୀ । ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ୪୧ ଲକ୍ଷ ୬୮ ହଜାର ଚାଷୀଙ୍କୁ ମୁଖ୍ୟମନ୍ତ୍ରୀ କିଷାନ ଟଙ୍କା ପ୍ରଦାନ କରିଛନ୍ତି । କଟକ ବିଦ୍ୟାଧରପୁରସ୍ଥିତ କେନ୍ଦ୍ରୀୟ ଧାନ ଗବେଷଣା ଅନୁଷ୍ଠାନଠାରେ ଆୟୋଜିତ ରାଜ୍ୟସ୍ତରୀୟ କୃଷକ ଦିବସ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ମୋଟ ୮୩୮ କୋଟି ୪୮ ଲକ୍ଷ ଟଙ୍କା ବଣ୍ଟନ କରିଛନ୍ତି । ଏହା ଦ୍ୱାରା ରାଜ୍ୟର ୪୧ ଲକ୍ଷ ୨୭ ହଜାର ୫୩୩ କ୍ଷୁଦ୍ର ଓ ୪୧ ହଜାର ୪୯ ଭୂମିହୀନ ଚାଷୀ ଉପକୃତ ହୋଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟରେ ବିଷମୁକ୍ତ ଚାଷ ଉପରେ ଗୁରୁତ୍ୱାରୋପ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ କୃଷି ଓ କୃଷକର ଉନ୍ନତି ରାଜ୍ୟ ଉନ୍ନତି ନିର୍ଭରଶୀଳ । କୃଷି ଓ ଶିଳ୍ପରେ ଉନ୍ନତି ହେଲେ ରାଜ୍ୟର ସାମଗ୍ରିକ ଉନ୍ନତି ହେବ । ଫଳରେ ରାଜ୍ୟ ସରକାରଙ୍କ ସଂକଳ୍ପ ସମୃଦ୍ଧ ଓଡ଼ିଶା ସିଦ୍ଧିରେ ପରିଣତ ହେବ । ପାରମ୍ପାରିକ କୃଷି ପଦ୍ଧତିରୁ ବାହାରି ବୈଜ୍ଞାନିକ ପଦ୍ଧତି ଗ୍ରହଣ କରାଯାଇଛି । ସରକାର ଆସିବା ପରେ ୨୦୨୪ ପରଠାରୁ ୨୨ ମାସରେ କୃଷି ଅଭିବୃଦ୍ଧି ହାର ୫.୩ ପ୍ରତିଶତ ହାରରେ ପହଁଚିଛି, ଯାହାକି ଜାତୀୟ ହାରଠାରୁ ୪.୪ ପ୍ରତିଶତଠାରୁ ଯଥେଷ୍ଟ ଅଧିକ ।
ମୁଖ୍ୟମନ୍ତ୍ରୀ ବିଷ ମୁକ୍ତ କୃଷି ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି । ରାସାୟନିକ ସାର ପ୍ରୟୋଗ କରିବା ପରିବର୍ତ୍ତେ ଜୈବିକ ଚାଷ କରିବାକୁ ପରାମର୍ଶ ଦେଇଛନ୍ତି । ସେହିପରି ଜମିର ସୁସ୍ଥତା ବଜାୟ ରଖିବାକୁ ଜମିକୁ ପଡ଼ି ନ ପକାଇ ଡାଲି ଜାତୀୟ ଶସ୍ୟ କିମ୍ବା ତୈଳ ଜାତୀୟ ଚାଷ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ପ୍ରଥମେ କୃଷି ଗବେଷଣା କେନ୍ଦ୍ର ପକ୍ଷରୁ ଆୟୋଜିତ ଅକ୍ଷି ମୁଠି ଅନୁକୂଳରେ ସାମିଲ ହୋଇଥିଲେ । ମୁଖ୍ୟମନ୍ତ୍ରୀ ଅକ୍ଷି ମୁଠି ଅନୁକୂଳ କରିଥିଲେ । ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ମଧ୍ୟ ଅକ୍ଷି ମୁଠି ପକାଇଥିଲେ । ଏହା ସହିତ ମୁଖ୍ୟମନ୍ତ୍ରୀ ‘ଆମ ବିହନ ରଥ’ ଏବଂ ‘କୃଷି ରଥ’କୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି।
ଏହି କାର୍ଯ୍ୟକ୍ରମ ସ୍ଥାନୀୟ ବିଧାୟିକା ସୋଫିଆ ଫିର୍ଦ୍ଦୋସ, ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, କଟକ ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଥିଲେ ।