ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନେରନ୍ଦ୍ର ମୋଦୀଙ୍କ ଝାଲମୁଢ଼ି ଖିଆ ଭିଡ଼ିଓ ବେଶ ଭାଇରାଲ ହେଉଛି । ଜଣେ ସାଧାରଣ ଗ୍ରାହକ ପରି ମାତ୍ର ୧୦ ଟଙ୍କାରେ ଝାଲମୁଢ଼ି କିଣି ଖାଇଛନ୍ତି ପ୍ରଧାନମନ୍ତ୍ରୀ । କିନ୍ତୁ ସେପଟେ ତୃଣମୂଳ କଂଗ୍ରେସକୁ ବହୁତ ଜୋରରେ ରାଗ ଲାଗିଛି । ରାଗରେ ଏବେ ରକ୍ତ ଚାଉଳ ଚୋବାଇବା ପରେ ହେଉଛି ଟିଏମସି । ପ୍ରଧାନମନ୍ତ୍ରୀଙ୍କ ଝାଲମୁଢ଼ି ଖାଇବା ଯୋଗୁଁ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଉଡ଼ାଣକୁ ସ୍ଥଗିତ ରଖାଗଲା ବୋଲି ଅଭିଯୋଗ ଆଣିଛି ଟିଏମସି ।
ଗତକାଲି ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗରେ ନିର୍ବାଚନ ପ୍ରଚାର କରୁଥିବା ସମୟରେ ଝାରଗ୍ରାମରେ ଗୋଟିଏ ଦୋକାନ ନିକଟରେ ଅଟକି ଯାଇଥିଲେ । ସେଠାରେ ଜଣେ ସାଧାରଣ ଗ୍ରାହକ ଭଳି ଝାଲମୁଢ଼ି ଦାମ ପଚାରିଥିଲେ । ଦୋକାନୀ ତାଙ୍କୁ ୧୦ ଟଙ୍କା ଏବଂ ୨୦ ଟଙ୍କା ମୁଡ଼ି ଦାମ କହିଥିଲେ । ମୋଦୀ ୧୦ ଟଙ୍କା ଦେଇ ଝାଲମୁଢ଼ି କିଣି ଖାଇଥିଲେ । ଯାହାର ଭିଡ଼ିଓ ବେଶ ଭାଇରାଲ ହେବାରେ ଲାଗିଛି ।
କିନ୍ତୁ ଟିଏମସିର ଏହା ହଜମ ହେଉନଥିବା ଦେଖିବାକୁ ମିଳିଛି । ଟିଏମସି ଅଭିଯୋଗ କରିଛି ଯେ ପ୍ରଧାନମନ୍ତ୍ରୀ ଝାଲମୁଢ଼ି ଖାଇବା କାରଣରୁ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏବଂ ତାଙ୍କ ବିଧାୟିକା ପତ୍ନୀ କଳ୍ପନା ସୋରେନଙ୍କ ବିମାନକୁ ଉଡ଼ିବା ପାଇଁ ଅନୁମତି ମିଳିନଥିଲା । ଏଭଳି ଭାବେ ଗଣତନ୍ତ୍ର ଦ୍ୱାରା ନିର୍ବାଚିତ ଦୁଇ ଜଣ ପ୍ରତିନିଧିଙ୍କୁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡ଼ିଥିଲା । ଶେଷରେ ଆସିଥିବା କାର୍ୟ୍ୟକ୍ରମରେ ସାମିଲ ନ ହୋଇ ସୋରେନ ଏବଂ ତାଙ୍କ ପତ୍ନୀ ରାଞ୍ଚି ଫେରିଯାଇଥିଲେ । ଏହା ଦ୍ୱାରା ହେମନ୍ତ ସୋରେନ ଏବଂ ତାଙ୍କ ପତ୍ନୀଙ୍କର ସାମ୍ବିଧାନିକ ଅଧିକାର କ୍ଷୁର୍ଣ୍ଣ ହେଲା ବୋଲି ଟିଏମସି କହିଛି ।
ଖାଲି ସେତିକି ନୁହେଁ ଟିଏମସି ପ୍ରଧାନମନ୍ତ୍ରୀଙ୍କ ଉପରେ ଆଦିବାସୀ ବିରୋଧୀ ମାନସିକତାର ଅଭିଯୋଗ ଲଗାଇଛି ।