କଟକ: ଆମ ରାଜ୍ୟର ଅର୍ଥନୀତି ଓ ପ୍ରଗତିର ମେରୁଦଣ୍ଡ ହେଉଛନ୍ତି ଆମର କୃଷକ ସମାଜ। ଆପଣମାନଙ୍କ ପରିଶ୍ରମରେ ଆମ ମାଟି ସୁଜଳା ସୁଫଳା ହୋଇଥାଏ। ଆପଣମାନଙ୍କ ସ୍ୱାର୍ଥ ରକ୍ଷା କରିବା ଏବଂ କୃଷି କାର୍ଯ୍ୟକୁ ଅଧିକ ସରଳ ଓ ସ୍ୱଚ୍ଛ କରିବା ପାଇଁ ରାଜ୍ୟ ସରକାର ସଦାସର୍ବଦା ଚେଷ୍ଟିତ । ରାଜ୍ୟସ୍ତରୀୟ କୃଷକ ଦିବସ ସମାରୋହରେ ଯୋଗ ଦେଇ କହିଛନ୍ତି ଉପମୁଖ୍ୟମନ୍ତ୍ରୀ କଟକ ବର୍ଦ୍ଧନ ସିଂହ ଦେଓ ।
ଉପମୁଖ୍ୟମନ୍ତ୍ରୀ ସାର କ୍ରୟ କ୍ଷେତ୍ରରେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି । ଚାଷୀଙ୍କୁ ଅଧିକୃତ ବିକ୍ରେତାଙ୍କ ଠାରୁ ଆଧାର ଓ ଓଟିପି ମାଧ୍ୟମରେ ନିଜ ଜମି ଓ ଫସଲ ପାଇଁ ଆବଶ୍ୟକ ପରିମାଣର ସାର କିଣନ୍ତୁ। ସାର କିଣିବା ସମୟରେ ବିକ୍ରେତାଙ୍କୁ ପି.ଓ.ଏସ ମେସିନରୁ ବାହାରୁଥିବା ସ୍ଲିପ୍ ନିଶ୍ଚିତ ଭାବେ ମାଗନ୍ତୁ। ଏଥିରେ ଆପଣ କେଉଁ ସାର କେତେ ପରିମାଣରେ ଓ କେତେ ଦାମରେ କିଣିଲେ ତାର ସ୍ପଷ୍ଟ ସୂଚନା ରହିଥାଏ। ଆବଶ୍ୟକ ପରିମାଣର ସନ୍ତୁଳିତ ସାର ବ୍ୟବହାର କରନ୍ତୁ । ଆମ ମା' ମାଟିକୁ ସୁରକ୍ଷିତ ରଖନ୍ତୁ। ସଚେତନ ଚାଷୀ ଭାବେ ସରକାରଙ୍କ ଏହି ସ୍ୱଚ୍ଛ ଅଭିଯାନରେ ସାମିଲ ହୋଇ ଏକ ସମୃଦ୍ଧ ଓଡ଼ିଶା ଗଠନ କରିବା ପାଇଁ ଆହ୍ୱାନ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ।
ପବିତ୍ର ଅକ୍ଷୟ ତୃତୀୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ୪୧ ଲକ୍ଷ ୬୮ ହଜାର ଚାଷୀଙ୍କୁ ସିଏମ୍ କିଷାନ ଟଙ୍କା ପ୍ରଦାନ କରିଛନ୍ତି । କଟକ ବିଦ୍ୟାଧରପୁରସ୍ଥିତ କେନ୍ଦ୍ରୀୟ ଧାନ ଗବେଷଣା ଅନୁଷ୍ଠାନଠାରେ ଆୟୋଜିତ ରାଜ୍ୟସ୍ତରୀୟ କୃଷକ ଦିବସ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ମୋଟ ୮୩୮ କୋଟି ୪୮ ଲକ୍ଷ ଟଙ୍କା ବଣ୍ଟନ କରିଛନ୍ତି । ଏହା ଦ୍ୱାରା ରାଜ୍ୟର ୪୧ ଲକ୍ଷ ୨୭ ହଜାର ୫୩୩ କ୍ଷୁଦ୍ର ଓ ନାମମାତ୍ର , ୪୧,୦୪୯ ଜଣ ହେଉଛନ୍ତି ଭୂମି ହୀନ ଏବଂ ୩,୨୯୨ ଜଣ ଜନଜାତି କୃଷକ ପରିବାରର ଚାଷୀ ଉପକୃତ ହୋଇଛନ୍ତି ।
ଧାନ ଗବେଷଣା କେନ୍ଦ୍ର ନିକଟରେ ଥିବା ଚାଷ ଜମିରେ ମୁଖ୍ୟମନ୍ତ୍ରୀ ଭୂମି ପୂଜା କରିବା ପରେ ଅକ୍ଷି ମୁଠି ଅନୁକୂଳ କରିଥିଲେ । ଏହାପରେ କୃଷି ପ୍ରଦର୍ଶନୀ ବୁଲି ଦେଖିବା ପରେ ' ଆମ ବିହନ ରଥ' ଏବଂ 'କୃଷି ରଥ'ର ଶୁଭାରମ୍ଭ କରିଥିଲେ । କୃଷକଙ୍କୁ ସହଜରେ ଉନ୍ନତ ବିହନ ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ଆମ ବିହନ ରଥ” ବା Seeds on Wheels କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି ଭ୍ରାମ୍ୟମାଣ ବିହନ ବିକ୍ରୟ କେନ୍ଦ୍ର ଗୁଡିକ ପ୍ରଥମ ପର୍ଯ୍ୟାୟରେ ୧୦ଟି ଜିଲ୍ଲାର ୩୧ଟି ବ୍ଲକରେ ଚାଲୁ ହେବ। ୫ କେଜିଆ ପ୍ୟାକେଟ୍ ଆକାରରେ ନୂତନ କିସମର ଧାନ ବିହନ ଗ୍ରାମ ପଞ୍ଚାୟତ ସ୍ତରରେ ଉପଲବ୍ଧ ହେବ।