ଗଞ୍ଜାମ: ଗଞ୍ଜାମ ଜିଲ୍ଲାରେ ତିବ୍ର ଗ୍ରୀଷ୍ମ ପ୍ରବାହ ଲୋକଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଅସହ୍ୟ ତାତି ଓ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ସୋମବାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଆସନ୍ତାକାଲି ୨୧ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ସ୍କୁଲ ବନ୍ଦ ରହିବ। ଶିଶୁ ବାଟିକାରୁ ଆରମ୍ଭ କରି ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଏହି ଛୁଟି ଲାଗୁ ହେବ। ତେବେ ପଞ୍ଚମ ଓ ଅଷ୍ଟମ ଶ୍ରେଣୀର ସପ୍ଲିମେଣ୍ଟାରୀ ପରୀକ୍ଷା ସହ ଅନ୍ୟାନ୍ୟ ବୋର୍ଡ ପରୀକ୍ଷା ନିର୍ଦ୍ଧାରିତ ସମୟରେ ହେବାକୁ ଯାଉଛି।
ଜିଲ୍ଲା କର୍ତ୍ତୃପକ୍ଷ ନିର୍ଦ୍ଦେଶ ଜାରି କରିବା ପୂର୍ବରୁ ପାଣିପାଗ ରିପୋର୍ଟ ସମୀକ୍ଷା କରିଛନ୍ତି। ପ୍ରଶାସନ କହିଛି ଯେ, ଏହି ଅସ୍ଥାୟୀ ଛୁଟି ପିଲା ଏବଂ ଶିକ୍ଷକ କର୍ମଚାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ନିଆଯାଇଛି। ଖରା କମିଲା ପରେ,୨୩ ଏପ୍ରିଲ ପରେ ସ୍କୁଲଗୁଡ଼ିକ ନିୟମିତ ଶ୍ରେଣୀ ପାଠପଢ଼ା ଆରମ୍ଭ ହେବ।
ସେପଟେ କେନ୍ଦ୍ରାପଡ଼ା ଜିଲ୍ଲାରେ ସକାଳ ସାଢ଼େ ୬ରୁ ୯ଟା ପର୍ଯ୍ୟନ୍ତ ସ୍କୁଲ୍ କରିବା ପାଇଁ ନିର୍ଦ୍ଦେଶ ଦେଇଛି ଜିଲ୍ଲା ପ୍ରଶାସନ। ହିଟ୍ ୱେଭ୍କୁ ଦେଖି ସାଢ଼େ ୬ରୁ ୯ଟା ପର୍ଯ୍ୟନ୍ତ ସ୍କୁଲ୍ ପାଇଁ ନିର୍ଦ୍ଦେଶ ରହିଛି। ଅଙ୍ଗନବାଡ଼ି କେନ୍ଦ୍ର ଠାରୁ ଦ୍ବାଦଶ ଶ୍ରେଣୀ ପିଲାଙ୍କ ପାଇଁ ଏହି ନିର୍ଦ୍ଦେଶନାମା ଜାରି ହୋଇଛି ।
ପ୍ରଚଣ୍ଡ ତାତିରେ ଏବେ ଅସ୍ତବ୍ୟସ୍ତ ରାଜ୍ୟବାସୀ। ରାଜ୍ୟରେ ସକାଳ ୯ଟା ପରେ ଘରୁ ବାହାରିବା ମୁସ୍କିଲ ହେଉଛି। ତାପମାତ୍ରା ବୃଦ୍ଧି ସହିତ ଗରମ ପବନ ଲୋକଙ୍କୁ କ୍ଲାନ୍ତ କରୁଛି। ପାଣିପାଗ ବିଭାଗ ଆଗାମୀ ୭ ଦିନ ପର୍ଯ୍ୟନ୍ତ ଏହି ପରିସ୍ଥିତି ଜାରି ରହିବ ବୋଲି ସତର୍କ କରିଛି। ବିଶେଷ କରି ୨୧ରୁ ୨୩ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହରୁ କୌଣସି ଆଶ୍ଵସ୍ତି ମିଳିବା ନାହିଁ। ଏହି ପରିପେକ୍ଷୀରେ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଆଗରେ ରଖି ପ୍ରଶାସନ ଏହି ପଦକ୍ଷେପ ନେଇଛି।