ଚିଲିକା: ଓଡ଼ିଶାର ଚିଲିକାରେ ଅବସ୍ଥିତ ଭାରତୀୟ ନୌସେନା ପ୍ରଶିକ୍ଷଣ କେନ୍ଦ୍ର ପୁଣିଥରେ ଚର୍ଚ୍ଚାରେ। ଜଣେ ଯୁବ ଅଗ୍ନିବୀର ପ୍ରଶିକ୍ଷାର୍ଥୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣା ନେଇ ଉଠିଛି ଅନେକ ପ୍ରଶ୍ନ। ମୃତକ ହେଉଛନ୍ତି ବିହାରର ଭୋଜପୁର ଜିଲ୍ଲାର ବିକାଶ କୁମାର, ଯିଏ କେବଳ ଦୁଇମାସ ପୂର୍ବରୁ ଅଗ୍ନିବୀର ଭାବେ ଯୋଗ ଦେଇଥିଲେ। ସ୍ୱପ୍ନ ଥିଲା ଦେଶସେବାର, କିନ୍ତୁ ହଠାତ୍ ତାଙ୍କର ଅସ୍ୱାଭାବିକ ମୃତ୍ୟୁ ଏବେ ପରିବାରକୁ ଭାଙ୍ଗିଦେଇଛି।
ଗତ ୧୮ ତାରିଖ ରାତିରେ ପ୍ରଶିକ୍ଷଣ କେନ୍ଦ୍ରର ଜିମ ଭିତରେ ବେକରେ ରଶି ଲଗାଇ ତାଙ୍କ ମୃତଦେହ ମିଳିଥିବା କୁହାଯାଉଛି। ନୌସେନା ପକ୍ଷରୁ ଏହାକୁ ଆତ୍ମହତ୍ୟା ଭାବେ ଦେଖାଯାଉଥିବାବେଳେ, ପରିବାର ଏହାକୁ ସଂପୂର୍ଣ୍ଣ ଭାବେ ଖଣ୍ଡନ କରିଛନ୍ତି। “ମୋ ପୁଅ ଏଭଳି କରିପାରିବ ନାହିଁ, ତାକୁ ମାରି ଦିଆଯାଇଛି,” ବୋଲି ଦୃଢ଼ ସ୍ୱରରେ କହିଛନ୍ତି ବିକାଶଙ୍କ ବାପା ପିଣ୍ଟୁ ସାଏ। ସେ ବାଲୁଗାଁ ଥାନାରେ ଅଭିଯୋଗ କରି ନ୍ୟାୟ ଦାବି କରିଛନ୍ତି।
ଘଟଣା ପରେ ବାଲୁଗାଁ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସାଇଣ୍ଟିଫିକ ଟିମ ଘଟଣାସ୍ଥଳରୁ ପ୍ରମାଣ ସଂଗ୍ରହ କରିଛି ଏବଂ ବ୍ୟବଚ୍ଛେଦ ପରେ ମୃତଦେହ ପରିବାରକୁ ହସ୍ତାନ୍ତର କରାଯାଇଛି। ତେବେ ଏହି ଘଟଣା ଏକାକୀ ନୁହେଁ। ଗତ ୮ ତାରିଖରେ ମେରଟର କାର୍ତ୍ତିକ ଯାଦବଙ୍କ ମୃତ୍ୟୁ ମଧ୍ୟ ଏଭଳି ସନ୍ଦେହ ଜନ୍ମାଇଥିଲା।
ପ୍ରଶ୍ନ ହେଉଛି ପ୍ରଶିକ୍ଷଣ କେନ୍ଦ୍ରରେ ଏମିତି ଅସ୍ୱାଭାବିକ ମୃତ୍ୟୁ ପଛରେ କଣ ରହସ୍ୟ ଲୁଚିଛି? ମାନସିକ ଚାପ, କିମ୍ବା ଆଉ କିଛି ଗଭୀର ସତ୍ୟ? ସତ୍ୟ ଆସିବା ପର୍ଯ୍ୟନ୍ତ ପରିବାର ଅପେକ୍ଷାରେ, ଏବଂ ସମସ୍ତଙ୍କ ଦୃଷ୍ଟି ଏବେ ତଦନ୍ତ ଉପରେ।