ଭୁବନେଶ୍ୱର: ବରିଷ୍ଠ ନେତା ବିଜୟ ମହାପାତ୍ର ଜାନକୀ ବଲ୍ଲଭ ଶ୍ରାଦ୍ଧ ଦିବସରେ ଏକ ବିସ୍ଫୋରକ ବୟାନ ଦେଇଛନ୍ତି । ଜାନକୀ ବାବୁ ତାଙ୍କୁ ଭବିଷ୍ୟବାଣୀ କରିଥିଲେ, ଯଦି ନିଜ ଦଳ ଗଢ଼ୁ, ନବୀନ ଦିଲ୍ଲୀରେ ଥାଉ । ସେ ଆସିଲେ କ୍ଷତି ହେବ ।
ବିଜୟ ଜାନକୀ ପଟ୍ଟନାୟକଙ୍କ ସ୍ମୃତି ଚାରଣ କରି ତାଙ୍କ ସମୟରେ କଥା କହିଥିଲେ । ଯାହା ରାଜନୈତିକ ମହଲରେ ବିସ୍ଫୋରଣ ସୃଷ୍ଟି କରିଛନ୍ତି । ୧୯୮୦ ଦଶକରେ ପାଟକୁରା ଏବଂ ଆଠଗଡ଼ ଉପନିର୍ବାଚନରେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସହିତ ଦେଖା ହୋଇଥିଲା । ଜାନକୀ ମୁଖ୍ୟମନ୍ତ୍ରୀ ହୋଇ ଶାସନ କଲେ ଏବଂ ସେ ବିରୋଧୀ ଦଳରେ ବସିଥିଲେ । ସମୟ କ୍ରମେ ସେମାନଙ୍କ ସମ୍ପର୍କ ନିବିଡ଼ ହୋଇଥିଲା । ୧୯୮୫ ମସିହାରେ କ୍ଷେପଣାସ୍ତ୍ର ଘାଟି ନିର୍ମାଣ ଉପରେ ଜାନକୀ ଏବଂ ବିଜୁ ବାବୁ ଏକମତ ଦେଇଥିଲେ । ବିଧାନସଭାରେ ଏହା ଉପରେ ହେବାକୁ ଥିବା ଆଲୋଚନା ସ୍ଥଗିତ ରହିଥିଲା । ଶେଷରେ କ୍ଷେପଣାସ୍ତ୍ର ଘାଟି ନିର୍ମାଣ ବନ୍ଦ ହୋଇଥିଲା । ଜାତୀୟ ସ୍ୱାର୍ଥ ପାଇଁ ବିରୋଧୀ ଦଳ ନେତା ଏବଂ ମୁଖ୍ୟମନ୍ତ୍ରୀ ଏକାଠି ହେବା ଦେଶରେ ଏକ ବିରଳ ଦୃଶ୍ୟ । ଏହାକୁ ଆଗାମୀ ଯୁବପୀଢ଼ି ଜାଣିବା ଦରକାର ।
୧୯୯୭ ମସିହାରେ ବିଜୁ ଜନତା ଦଳ ଗଢ଼ା ହେବାକୁ ପ୍ରସ୍ତୁତ ଚାଲିଥିଲା । ସେତେବେଳେ ଜାନକୀ ବଲ୍ଲଭ ପଟ୍ଟନାୟକ ବିଧାୟକ ଅରୁଣ ଦେଙ୍କ ଦ୍ୱାରା ବିଜୟ ମହାପାତ୍ରଙ୍କ ସହିତ କଥା ହେବାକୁ ଚାହୁଁଥିଲେ । କିନ୍ତୁ ବିଜୟ ମହାପାତ୍ର ମନା କରିଥିଲେ । ତଥାପି ଜାନକୀ ବାବୁ ଅରୁଣ ଦେଙ୍କ ଦ୍ୱାରା କହିଥିଲେ, “ସେ ବିରୋଧୀ ଦଳ ତିଆରି କରୁଛି, ମୋର କିଛି ପ୍ରତିବାଦ କରିବାର ନାହିଁ, କିନ୍ତୁ ସେ ନିଜ ଦଳ ତିଆରି କରୁ, ଓଡ଼ିଶାରେ ଯେଉଁମାନେ ନେତା ଅଛନ୍ତି ତାଙ୍କୁ ନେଇ ଦଳ ତିଆରି କରୁ । ସେ ଦିଲ୍ଲୀରେ ଅଛି ଯଦି ଆସିବ ବିଜୟର ବହୁତ କ୍ଷତି ହେବ” । ସେତେବେଳେ ନବୀନ ପଟ୍ଟନାୟକ ଆସିକା ନିର୍ବାଚନ ମଣ୍ଡଳୀରୁ ଲୋକସଭା ସାଂସଦ ଥିଲେ । ଜାନକୀ ବାବୁ ଜ୍ୟୋତିଷ ଭାବରେ ଏଭଳି କହିଥିଲେ ବୋଲି କହିଛନ୍ତି ବିଜୟ ମହାପାତ୍ର । ସେ ଯାହା କହିଥିଲେ ତାହା ଅକ୍ଷର ଅକ୍ଷରେ ସତ ହେଲା । ବିଜୟ କହିଛନ୍ତି ଯେ ଜାନକୀ ବାବୁ ଜଣେ ବିରଳ ବ୍ୟକ୍ତିତ୍ୱ ।