ଭୁବନେଶ୍ୱର: ଓଡ଼ିଶାରେ LPG ଗ୍ୟାସ୍ ନେଇ ଚାଲିଥିବା କଳାବଜାରୀ ଓ ଅବୈଧ ସଂଗ୍ରହ ଉପରେ ସରକାରଙ୍କ ବଡ ଧରଣର ଚଢ଼ାଉ। ଖାଦ୍ୟ ଯୋଗାଣ ଓ ଉପଭୋକ୍ତା କଳ୍ୟାଣ ବିଭାଗଙ୍କ ନେତୃତ୍ୱରେ ଚାଲିଥିବା ଏହି ବ୍ୟାପକ ଅଭିଯାନରେ ମୋଟ ୫,୩୦୮ଟି ଏଲପିଜି ସିଲିଣ୍ଡର ଜବତ ହୋଇଥିବାବେଳେ ୫ ଜଣଙ୍କୁ ଗିରଫ କରାଯାଇଛି।
ସୂଚନା ଅନୁଯାୟୀ, ଗ୍ରାହକଙ୍କ ଅଭିଯୋଗ ଓ ଗୁପ୍ତ ସୂଚନାକୁ ଆଧାର କରି ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ଏକାସାଥିରେ ଚଢ଼ାଉ କରାଯାଇଥିଲା। ଏଲପିଜି ଏଜେନ୍ସୀ, ଗୋଦାମ ଓ ସନ୍ଦେହଜନକ ସ୍ଥାନଗୁଡ଼ିକୁ ନିଶାନା କରି ଚାଲିଥିବା ଏହି ଅଭିଯାନରେ ଅନେକ ସ୍ଥାନରୁ ଅବୈଧ ଭାବେ ମହଜୁଦ ହୋଇଥିବା ସିଲିଣ୍ଡର ଜବତ ହୋଇଛି।
ଏପର୍ଯ୍ୟନ୍ତ ମୋଟ ୨,୭୪୬ଟି ସ୍ଥାନରେ ତଲାଶି ଚାଲିଛି। ଜିଲ୍ଲାସ୍ତରୀୟ ଯୋଗାଣ ଅଧିକାରୀମାନେ ଏହି ଅଭିଯାନକୁ ନିରନ୍ତର ନଜର ରଖି ଦିନ ପ୍ରତିଦିନ ରିପୋର୍ଟ ପଠାଉଛନ୍ତି। ଅନିୟମିତତା ଓ ଆଇନ ଉଲ୍ଲଂଘନ ମାମଲାରେ ୩୯୭ଟି କେସ୍ ରୁଜୁ ହୋଇଥିବାବେଳେ ବିଭିନ୍ନ ଥାନାରେ ୩୧ଟି ଏଫଆଇଆର ଦାଖଲ ହୋଇଛି। ଏହି ଘଟଣାରେ ସଂପୃକ୍ତ ଥିବା ଅଭିଯୁକ୍ତମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇ ଯାଉଛି।
ସରକାରଙ୍କ ଏହି ଆକସ୍ମିକ ଚଢ଼ାଉ ଫଳରେ ରାଜ୍ୟରେ ଚାଲିଥିବା ଗ୍ୟାସ୍ କଳାବଜାରୀ ରାକେଟ୍ର ପର୍ଦ୍ଦାଫାଶ ହେବା ସହିତ ସାଧାରଣ ଲୋକଙ୍କ ମଧ୍ୟରେ ଆଶ୍ୱାସନ ସୃଷ୍ଟି ହୋଇଛି। ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଭବିଷ୍ୟତରେ ମଧ୍ୟ ଏପରି ଅବୈଧ କାରବାର ବିରୋଧରେ ଏହି ଅଭିଯାନ ଆହୁରି ତୀବ୍ର କରାଯିବ। ଯେକୌଣସି ଅନିୟମିତତା ଦେଖିଲେ ଲୋକମାନେ ତୁରନ୍ତ ଅଭିଯୋଗ କରିବାକୁ ଅନୁରୋଧ କରାଯାଇଛି।
ଅଧିକ ପଢନ୍ତୁ: ଗ୍ୟାସ୍ ସଙ୍କଟ ମଧ୍ୟରେ କଳାବଜାରୀ; ଚଢ଼ାଉ ବେଳେ କାଠ ଗୋଲା ଭିତରୁ ମିଳିଲା ବିପୁଳ ଟାଙ୍କି,ବିନା ଲାଇସେନ୍ସରେ ଚାଲୁଥିଲା ଗୋଦାମ