ଜଗତସିଂହପୁର: ଜଗତସିଂହପୁର ସଦର ଥାନା ଅନ୍ତର୍ଗତ କାଠିଆପଡ଼ା ଗ୍ରାମରେ ନିର୍ବନ୍ଧ ପରେ ଯୁବତୀଙ୍କୁ ହତ୍ୟା ମାମଲାର ଫର୍ଦ୍ଦାଫାସ୍ କରିଛି ପୋଲିସ । ପୂର୍ବ ଶତ୍ରୁତା ନୁହେଁ ବରଂ ପ୍ରେମ ପାଇଁ ଯୁବତୀଙ୍କ ଜୀବନ ଯାଇଛି । ଯୁବତୀଙ୍କ ପ୍ରେମିକକୁ ଝାଡ଼ଖଣ୍ଡ ଜାମସେଦପୁରରୁ ଗିରଫ କରାଯାଇଛି । ସେ ହେଲେ କୁଳମୁଣ୍ଡିଳ ଗ୍ରାମର ସୂର୍ଯ୍ୟକାନ୍ତ ସ୍ୱାଇଁ ଓରଫ୍ ପୁପୁ ।
ପ୍ରାଥମିକ ସୂଚନା ଅନୁସାରେ, କାଠିଆପଡ଼ା ଗ୍ରାମର ପ୍ରମୋଦ ଦାସଙ୍କ ଝିଅ ସସ୍ମିତା ଦାସକୁ ଗଳା କାଟି ହତ୍ୟା କରିବାକ ମାମଲାରେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ସୂର୍ଯ୍ୟକାନ୍ତ ଜାମସେଦପୁରେ ବ୍ୟବସାୟ କରୁଥିଲା । ଗତ କିଛି ବର୍ଷ ହେବ ସେ ଗାଁକୁ ଫେରିଥିଲା । କାଠିଆପଡ଼ା ଗ୍ରାମ ନିକଟରେ ଏକ ଘର ତିଆରି କରୁଥିଲା । ଏହି ଘର ତିଆରିରେ ପ୍ରମୋଦଙ୍କ ପରିବାର ବୁଝାସୁଝା କରୁଥିଲେ । କିନ୍ତୁ ଏହି ସମୟରେ ସସ୍ମିତା ଏବଂ ସୂର୍ଯ୍ୟକାନ୍ତଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଦୀର୍ଘ ୫ ବର୍ଷ ହେବ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା ।
କିନ୍ତୁ ସସ୍ମିତାଙ୍କର ବାଲେଶ୍ୱରର ଏକ ଯୁବକଙ୍କ ସହିତ ତାଙ୍କର ବିବାହ ସ୍ଥିର ହୋଇଥିଲା । ଗତ ୧୯ ତାରିଖରେ ସସ୍ମିତାଙ୍କର ନିର୍ବନ୍ଧ ହୋଇଥିଲା । ଏହା ପରେ ସସ୍ମିତା ନିଜ ନିର୍ବନ୍ଧ ଫଟୋ ଯେତେବେଳେ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିଲେ । ଏହାକୁ ଦେଖି ପ୍ରେମିକ ସୂର୍ଯ୍ୟକାନ୍ତ ଆଉ ସହି ପାରିନଥିଲା । ଶେଷରେ ୨୦ ତାରିଖ ସନ୍ଧ୍ୟାରେ ସସ୍ମିତାକୁ ଡାକି ତାର ଗଳାକାଟି ବିଭତ୍ସ ହତ୍ୟା କରିଥିଲା ବୋଲି ଜଣାପଡ଼ିଛି ।
ସଦର ଥାନା ପୋଲିସ ଉକ୍ତ ଯୁବକଙ୍କୁ ଜାମସେଦପୁରରୁ ଗିରଫ କରି ଜଗତସିଂହପୁର ଆଣୁଛି । ଆଜି ତାର କ୍ରାଇମ୍ ସିନ୍ ରିକ୍ରିଏସନ୍ କରାଯିବ ବୋଲି ଜଣାପଡ଼ିଛି ।