ଭୁବନେଶ୍ଵର: ରାଜ୍ୟ କ୍ୟାବିନେଟ ବୈଠକରେ ୮ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ସରକାର ମୋହର ମାରିଛନ୍ତି । ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା ୩୯ତମ କ୍ୟାବିନେଟ୍ ବୈଠକରେ ୮ଟି ବିଭାଗର ୮ଟି ପ୍ରସ୍ତାବ ପାରିତ ହୋଇଥିଲା। କ୍ୟାବିନେଟ୍ ନିଷ୍ପତ୍ତି ଅନୁଯାୟୀ ଏଣିକି ସହରାଞ୍ଚଳରେ ରନ୍ଧନ ଗ୍ୟାସ୍ ଯୋଗାଣ ସହଜ ହେବ ।
ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କ୍ୟାବିନେଟ୍ ବୈଠକ ସମ୍ପର୍କରେ ସବିଶେଷ ସୂଚନା ଦେଇ କହିଛନ୍ତି ଯେ ପୂର୍ବରୁ ସିଟି ଗ୍ୟାସ୍ ବିତରଣ ପ୍ରକଳ୍ପଗୁଡ଼ିକ ତ୍ୱରାନ୍ୱିତ କରାଯିବ । ପାଇପ୍ଡ୍ ନାଚୁରାଲ୍ ଗ୍ୟାସ୍ (ପିଏନ୍ଜି) ଓ କମ୍ପ୍ରେସ୍ଡ ନାଚୁରାଲ୍ ଗ୍ୟାସ୍ (ସିଏନ୍ଜି) ଭିତ୍ତିଭୂମିର ସମ୍ପ୍ରସାରଣ ତ୍ଵରାନ୍ୱିତ ହେବ । ରାଜ୍ୟ ସରକାର ଏଥିପାଇଁ ନୂତନ ନୀତି ଆଣିଛନ୍ତି । ଏଥିରେ ବିଭିନ୍ନ ବିଭାଗର ଅନୁମତି ପ୍ରକ୍ରିୟା ସହଜ ହେବ ଏବଂ ସ୍ୱଚ୍ଛ ଜାଳେଣି ବ୍ୟବହାରକୁ ପ୍ରୋତ୍ସାହିତ କରାଯିବ। ପ୍ରକଳ୍ପ ସମ୍ପତ୍ତିର ଠିକ୍ ପରିଚାଳନା ମାଧ୍ୟମରେ ନିରାପଦ ଓ ନିରନ୍ତର ଗ୍ୟାସ୍ ଯୋଗାଣ ନିଶ୍ଚିତ ହୋଇପାରିବ। ସ୍ବଚ୍ଛ ଭାରତ ମିସନ୍ ଅନ୍ତର୍ଗତ କମ୍ପ୍ରେସ୍ଡ ବାୟୋଗ୍ୟାସ୍ ପ୍ଲାଣ୍ଟ୍ ପ୍ରତିଷ୍ଠା ପାଇଁ ଆବଶ୍ୟକ ସମନ୍ଵୟ ରକ୍ଷା କରାଯାଇପାରିବ । ଗୃହ ଓ ନଗର ଉନ୍ନୟନ ବିଭାଗ ଏହାର ନୋଡାଲ୍ ଏଜେନ୍ସି ଭାବେ କାର୍ଯ୍ୟ କରିବାକୁ ଥିବାବେଳେ ଏକ ରାଜ୍ୟସ୍ତରୀୟ ଅଧିକାରୀ କମିଟି ଓ ଜିଲ୍ଲାସ୍ତରୀୟ ତଦାରଖ କମିଟି ଗଠନ କରାଯିବ । ଏଥିସହ ୨୦୨୭ ମାର୍ଚ୍ଚ ପର୍ଯ୍ୟନ୍ତ ଅନୁମୋଦନ ଶୁଳ୍କ ଉପରେ ରିହାତି ପ୍ରଦାନ କରିବାକୁ ପ୍ରସ୍ତାବ ଦିଆଯାଇଛି।
ବୈଠକରେ କଟକ ଭୁବନେଶ୍ଵର ମଧ୍ୟରେ ଗମନାଗମନକୁ ସୁଗମ କରିବା ଲାଗି କାଠଯୋଡ଼ିର ଆଉ ଏକ ସେତୁକୁ ଅନୁମୋଦନ ମିଳିଛି । ତ୍ରିଶୁଳିଆ ଛକରେ ଥିବା ବର୍ତ୍ତମାନର ସେତୁ ସହ ସମାନ୍ତର ଭାବେ ନିର୍ମାଣ ହେବ ଏହି ସେତୁ । ଏଥିପାଇଁ ୧୫୮ କୋଟି ୮୮ ଲକ୍ଷ ଟଙ୍କା ଅନୁମୋଦିତ ହୋଇଛି । ଏସ୍ଏପିଏସ୍ କନ୍ଷ୍ଟ୍ରକ୍ସନ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ଏହି ପ୍ରକଳ୍ପ କାର୍ଯ୍ୟ ହାତକୁ ନେଇଛି । ଏହା ତ୍ରିଶୁଳିଆ ଛକକୁ ଜୁଡିସିଆଲ୍ ଏକାଡେମୀ ଛକ ପର୍ଯ୍ୟନ୍ତ ସଂଯୋଗ କରିବ। ଏହା ଦ୍ୱାରା କଟକ ଓ ଭୁବନେଶ୍ୱର ଟ୍ରାଫିକ୍ ନିୟନ୍ତ୍ରଣ ରହିବା ସହିତ ଲୋକେ ଉପକୃତ ହେବେ ।
ସେହିପରି ବଲାଙ୍ଗିରରେ ଅମ୍ବିକା କଟସ୍ପିନର ସ୍ପିନିଂ ୟୁନିଟ୍ ସ୍ଥାପନ ପ୍ରସ୍ତାବ ଅନୁମୋଦିତ ହୋଇଚି । ଏଥିପାଇଁ ୧୨୪ କୋଟି ଟଙ୍କା ନିବେଶ ହେବ । ଯଦ୍ୱାରା ୩୦୦ ଜଣଙ୍କ ପାଇଁ ସିଧାସଳଖ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।
କ୍ୟାବିନେଟ ବୈଠକରେ ଓଡ଼ିଶା ରାଜ୍ୟ ତଥ୍ୟ ନୀତି-୨କୁ ମଧ୍ୟ ମଞ୍ଜୁରୀ ପ୍ରଦାନ କରାଯାଇଛି।ଓଡ଼ିଶା ଆପର୍ଟମେଣ୍ଟ ମାଲିକାନା ଓ ପରିଚାଳନା ନିୟମ-୨୦୨୩ର ପରିବର୍ତ୍ତନ କରାଯାଇଛି । ଆପାର୍ଟମେଣ୍ଟ ହସ୍ତାନ୍ତର ଦଲିଲ ପଞ୍ଜିକରଣରେ ଟିକସ ହ୍ରାସ ପାଇଁ ନିଷ୍ପତ୍ତି ନିଆଯାଇଛି । ସେହିପରି ଏଓଏକୁ ଦଲିଲ ହସ୍ତାନ୍ତରରେ ସ୍ଲାବ୍ ଟିକସ ବ୍ୟବସ୍ଥା ଉଚ୍ଛେଦ କରାଯାଇଛି । ଏଣିକି ଏଓଏକୁ ଦଲିଲ ଦେବାକୁ ହେବ କେବଳ ୫୦ ହଜାର ଟଙ୍କା ଦେବାକୁ ହେବ । ପରବର୍ତ୍ତୀ ସମୟରେ ବ୍ୟକ୍ତିଗତ ଆପାର୍ଟମେଣ୍ଟ ଅଂଶ ବିକ୍ରିରେ ୫% ଷ୍ଟାମ୍ପ ଡ୍ୟୁଟି ଲାଗିବ । ଏହା ଆପାର୍ଟମେଣ୍ଟ ୟୁନିଟ୍ ସହ କମନ୍ ଏରିଆ ଅଂଶ ପାଇଁ ଲାଗୁ ହେବ।
କ୍ୟାବିନେଟ୍ରେ ଓଡ଼ିଶା ରାଜ୍ୟ ଆଲାଏଡ୍ ଏବଂ ସ୍ଵାସ୍ଥ୍ୟସେବା ପରିଷଦ ନିୟମାବଳୀ, ୨୦୨୬ ପ୍ରଣୟନ ପ୍ରସ୍ତାବକୁ ମଞ୍ଜୁରି ମିଳିଛି। ସମସ୍ତ ପଞ୍ଜୀକୃତ ବୃତ୍ତିଧାରୀଙ୍କ ପାଇଁ ଏକ ଅନଲାଇନ୍ କେନ୍ଦ୍ରୀୟ ରେଜିଷ୍ଟର ପ୍ରସ୍ତୁତ ସାଙ୍ଗକୁ ସେମାନଙ୍କ ବୃତ୍ତିଗତ ଆଚରଣ, ନୈତିକ ନିୟମାବଳୀ ତଥା ଶୃଙ୍ଖଳା ରକ୍ଷା ପାଇଁ ଭିତ୍ତିଭୂମି ପ୍ରସ୍ତୁତ କରାଯିବ । ସେହିପରି ଏଥିରେ ସ୍ନାତକ, ସ୍ନାତକୋତ୍ତର ଓ ପିଏଚ୍ଡି ପାଠ୍ୟକ୍ରମରେ ନାମଲେଖା ପାଇଁ ଏକ ସମାନ ପ୍ରବେଶିକା ପରୀକ୍ଷା ଓ ସାଧାରଣ କାଉନ୍ସେଲିଂ ବ୍ୟବସ୍ଥା କରିବ। ଏହା ସହ ବୃତ୍ତିଗତ ଲାଇସେନ୍ସ ପ୍ରଦାନ ପାଇଁ ଏକ ସମାନ ନିର୍ଗମନ ପରୀକ୍ଷା ପ୍ରଚଳନ କରିବାରେ ସହାୟକ ହେବ।