ସମ୍ବଲପୁରର ପ୍ରସିଦ୍ଧ ଭିସୁଟ କ୍ୟାମ୍ପସରେ ପୁଣିଥରେ ରାଗିଂ ଅଭିଯୋଗ ଆସିଛି। ମେକାନିକାଲ ବିଭାଗର ଜଣେ ଜୁନିୟର ଛାତ୍ରଙ୍କୁ ନେଇ ଘଟିଥିବା ଏହି ଘଟଣା ଶିକ୍ଷାନୁଷ୍ଠାନର ଶୃଙ୍ଖଳାକୁ ପ୍ରଶ୍ନର ସମ୍ମୁଖୀନ କରିଛି। ଅଭିଯୋଗ ଅନୁସାରେ, ଚାରିଜଣ ସିନିଅର ଛାତ୍ର ଜୁନିୟରଙ୍କୁ ଗାଳି ଗୁଲଜ କରି ମାନସିକ ଚାପ ସୃଷ୍ଟି କରୁଥିଲେ।
ଘଟଣାର ମୁଖ୍ୟ ମୋଡ଼ ଆସିଲା ସେତେବେଳେ, ଯେତେବେଳେ ଅନ୍ୟ ଜଣେ ଜୁନିୟର ଏହାର ଭିଡିଓ କରିବାକୁ ଆରମ୍ଭ କଲେ। ଏହା ଦେଖି ସିନିଅରମାନେ ଅଧିକ ଆକ୍ରୋଶିତ ହୋଇ ସେଇ ଛାତ୍ରଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ପରେ ପୀଡ଼ିତ ଛାତ୍ରମାନେ ଆଣ୍ଟି ରାଗିଂ ସେଲର ଅଭିଯୋଗ କରିବା ପରେ ଘଟଣାର ତଦନ୍ତ ଆରମ୍ଭ ହେଲା।
ତଦନ୍ତ ପାଇଁ ଗଠିତ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଘଟଣାର ସମସ୍ତ ପ୍ରମାଣ ଯୋଗାଡ଼ କରି ଚାରିଜଣ ସିନିଅରଙ୍କୁ ଦୋଷୀ ଠାରୁ ନିଶ୍ଚିତ କଲା। ଏହାପରେ ଅଭଯୁକ୍ତ ଜଣେ ଛାତ୍ରଙ୍କୁ ୧୦ ହଜାର ଟଙ୍କା ଏବଂ ଅନ୍ୟ ତିନିଜଣଙ୍କୁ ୫ ହଜାର କରି ଅର୍ଥଦଣ୍ଡ ଲାଗୁ କରାଯାଇଛି।
ଭିସୁଟର କୁଳପତି ପ୍ରଫେସର ଦୀପକ କୁମାର ସାହୁ କହିଛନ୍ତି ଯେ, ଘଟଣାଟି ପ୍ରାୟ ୧୫ ଦିନ ପୂର୍ବରୁ ଘଟିଥିଲା ଏବଂ ସମୟୋପଯୋଗୀ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।ଏହି ଘଟଣା ପୁଣିଥରେ ରାଜ୍ୟରେ ରାଗିଂ ଭଳି ସମସ୍ୟାକୁ ଆଗକୁ ଆଣିଛି, ଯାହାକୁ ନିୟନ୍ତ୍ରଣ ପାଇଁ କଠୋର ପଦକ୍ଷେପ ଆବଶ୍ୟକ। କ୍ୟାମ୍ପସରେ ସୁରକ୍ଷିତ ଓ ସହଯୋଗମୂଳକ ପରିବେଶ ସୃଷ୍ଟି କରିବା ଉଚିତ।