କେନ୍ଦ୍ରାପଡ଼ାରେ ଧର୍ମୀୟ ପରମ୍ପରାକୁ ନେଇ ନୂଆ ବିବାଦ ମୁହାଁ ଦେଖାଇଛି। ଇସ୍କନ ପକ୍ଷରୁ ଆୟୋଜିତ ଅଦିନିଆ ରଥଯାତ୍ରାକୁ ବଳଦେବ ସେନା ତୀବ୍ର ବିରୋଧ କରିଛି। ପାରମ୍ପରିକ ମତାନୁସାରେ, ରଥଯାତ୍ରା ଆଷାଢ଼ ଶୁକ୍ଳ ଦ୍ୱିତୀୟା ଦିନରେ ହିଁ ପାଳନ କରାଯାଏ, ଯାହା ଶ୍ରୀଜଗନ୍ନାଥ ସଂସ୍କୃତିର ଏକ ଅବିଭାଜ୍ୟ ଅଂଶ। କିନ୍ତୁ ଇସ୍କନ କର୍ତ୍ତୃପକ୍ଷ ଦେଶ-ବିଦେଶରେ ଭକ୍ତମାନଙ୍କ ସୁବିଧା ଓ ଧାର୍ମିକ ପ୍ରଚାର ପାଇଁ ବିଭିନ୍ନ ସମୟରେ ରଥଯାତ୍ରା ଆୟୋଜନ କରୁଥିବାରୁ ବିବାଦ ସୃଷ୍ଟି ହେଉଛି।
ବଳଦେବ ସେନାର ଅଭିଯୋଗ ହେଉଛି, ଏହିପରି ଅଦିନିଆ ଆୟୋଜନ ପାରମ୍ପରିକ ନୀତି-ନିୟମକୁ ଅବମାନ କରୁଛି ଏବଂ ଲୋକମାନଙ୍କ ଧାର୍ମିକ ଭାବନାକୁ ଆଘାତ କରୁଛି। ଏହାକୁ ବନ୍ଦ କରାନଗଲେ, ରାଜ୍ୟ ତମାମ ବିରୋଧ କରାଯିବ ବୋଲି କହିଛନ୍ତି ବଳଦେବ ସେନା କର୍ମକର୍ତ୍ତା।
ଘଟଣାକୁ ନେଇ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଥିବା ବେଳେ, ସ୍ଥାନୀୟ ପ୍ରଶାସନ ପରିସ୍ଥିତିକୁ ନଜରରେ ରଖିଛି। ଉଭୟ ପକ୍ଷ ନିଜ ନିଜ ମତରେ ଅଡ଼ି ବସିଥିବାବେଳେ ଆଗାମୀ ଦିନରେ ଏହି ବିବାଦ କେଉଁ ଦିଗକୁ ମୁହାଉଁଛି, ସେଥିପାଇଁ ସମସ୍ତଙ୍କ ଦୃଷ୍ଟି ରହିଛି।