ଭୁବନେଶ୍ୱର: ଅସହ୍ୟ ତାତିରେ ସନ୍ତୁଳି ହେଉଛି ଜନଜୀବନ। ଏବେ ରାଜଧାନୀ ଭୁବନେଶ୍ୱରର ଅବସ୍ଥା ଦେଖିଲେ ଲାଗୁଛି, ସହରଟି ସତେ ଯେମିତି ଗୋଟିଏ ତତଲା କଡେଇ। ଗୁରୁବାର ଦିନ ପାରଦ ସିଧା ୪୨ ଡିଗ୍ରୀକୁ ଛୁଇଁ ରେକର୍ଡ ଭାଙ୍ଗିଦେଇଛି। ଦିନ ବଢ଼ିବା ସହିତ ତାତିର ତେଜ ବି ବଢ଼ି ଚାଲିଛି। ଦିନ ୧ଟା ୩୦ ସୁଦ୍ଧା ଏୟାରପୋର୍ଟ ଅଞ୍ଚଳରେ ୪୨ ଡିଗ୍ରୀ ରେକର୍ଡ ହୋଇଛି।
କେବଳ ରାଜଧାନୀ ନୁହେଁ, ସାରା ଓଡ଼ିଶା ଏବେ ତାତିରେ ଜଳୁଛି। ଝାରସୁଗୁଡା ବୁଧବାର ଦେଶର ସର୍ବାଧିକ ଉତ୍ତପ୍ତ ସହର ଭାବେ ଆଗକୁ ଆସିଥିଲା, ଯେଉଁଠାରେ ପାରଦ ୪୪.୬ ଡିଗ୍ରୀକୁ ଛୁଇଁଥିଲା। ଏହା ସହିତ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ଲଗାତାର ବଢ଼ୁଥିବାରୁ ଲୋକମାନେ ଘରୁ ବାହାରିବାକୁ ଭୟ କରୁଛନ୍ତି।
ଗତ କିଛି ଦିନ ଧରି ପଶ୍ଚିମ ଓଡ଼ିଶାରେ ଯେପରି ତାତିର ପ୍ରଚଣ୍ଡ ରୂପ ଦେଖାଯାଉଥିଲା, ଏବେ ସେହି ତାପ ଲହରୀ ଉପକୂଳ ଓ ଦକ୍ଷିଣ ଅଞ୍ଚଳକୁ ମଧ୍ୟ ଗ୍ରସିଛି। ସୂର୍ଯ୍ୟର ତୀବ୍ର କିରଣ ଏବଂ ଗରମ ପବନ ମିଶି ଜୀବନକୁ ଅସହ୍ୟ କରିଦେଇଛି। ରାସ୍ତା ଘାଟ ଶୂନ୍ୟ ପଡ଼ିଥିବା ବେଳେ, ଠଣ୍ଡା ପାଣି ଓ ଛାୟା ପାଇଁ ଲୋକମାନେ ଆଉଟୁପାଉଟୁ ହେଉଛନ୍ତି।
ପାଣିପାଗ ବିଭାଗର ଆକଳନ ବି ଆଉ ଅଧିକ ଚିନ୍ତା ବଢ଼ାଇଛି। ୨୫ ତାରିଖ ପର୍ଯ୍ୟନ୍ତ ଏହି ତାତିରୁ ମୁକ୍ତି ମିଳିବାର ଆଶା ନାହିଁ। ତେବେ ୨୬ ତାରିଖରୁ କିଛି ସ୍ଥାନରେ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିପାରେ ବୋଲି ସୂଚନା ମିଳିଛି।