ବିପଦ ସଂକୁଳ ଅବସ୍ଥାରେ ପଡ଼ିରହିଛି ମୁକୁଳା ଟ୍ରାନ୍ସଫର୍ମର ଓ ୧୧ କେଭି ବିଦ୍ୟୁତ ତାର । ଯାହାକୁ ନେଇ ବାରମ୍ବାର ଦୁର୍ଘଟଣା ଘଟୁଥିଲେ ମଧ୍ୟ ଶୁଣୁନାହାନ୍ତି ବିଦ୍ୟୁତ ବିଭାଗ ଅଧିକାରୀ । ଏପରିକି ବିଦ୍ୟୁତ ସର୍ଟସର୍କିଟ ଘଟି ଏକ ଘରେ ନିଆଁ ଲାଗି ବିଭିନ୍ନ ସାମଗ୍ରୀ ଜଳିପୋଡି ଯାଇଥିଲେ ମଧ୍ୟ ବିଦ୍ୟୁତ କର୍ମଚାରୀ କର୍ଣ୍ଣପାତ କରୁନାହାନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ପାରାଦୀପ ତାରିଣୀଗଡା ଗିରିଧାରୀ ଛକ ଅଞ୍ଚଳରେ । ଏହି ସ୍ଥାନରେ ବିଦ୍ୟୁତ ତାର ଛିଣ୍ଡିବା ସହ ସର୍ଟ ସର୍କିଟ ହେବା ଫଳରେ ଏକ ଗୋମାତା ଜଳି ଯିବା ସହ ଏକ ଗଛରେ ତାର ଲାଗି ଦୀପାବଳି ଭଳି ବାଣ ଫୁଟୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା ।
ବାରମ୍ବାର ଏଭଳି ଦୁର୍ଘଟଣା ଘଟୁଥିବା କାରଣରୁ ତାରିଣୀଗଡା ଗିରିଧାରୀ ଛକ ବାସିନ୍ଦା ସାମୁହିକ ଭାବେ ବିଦ୍ୟୁତ ବିଭାଗକୁ ଅଭିଯୋଗ କରିଛନ୍ତି । ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ବିଦ୍ୟୁତ ବିଭାଗ ର କର୍ମଚାରୀ ଶୁଣୁନାହାନ୍ତି, ଯାହା ଫଳରେ ସ୍ଥାନୀୟ ବାସିନ୍ଦା ଗୁରୁବାର ଏକତ୍ରିତ ହୋଇ ଟ୍ରାନ୍ସଫର୍ମରକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଦାବି କରିଛନ୍ତି । ଯଦି ଆଗାମୀ ଦିନରେ ଏହାର ସମାଧାନ ନହୁଏ ତେବେ ବିଦ୍ୟୁତ କାର୍ଯ୍ୟାଳୟ ଘେରାଉ କରିବାକୁ ଚେତାବନୀ ଦେଇଛନ୍ତି ।