ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ଅଶୋକ ମିତ୍ତଲଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଟିମ୍ ଚଢ଼ାଉ କରିଛି। ଜାଲନ୍ଧର ସ୍ଥିତ ତାଙ୍କ ବାସଭବନ ଏବଂ ଗୁରୁଗ୍ରାମରେ ED ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଆମ୍ ଆଦମୀ ପାର୍ଟି ED ର ଏହି କାର୍ଯ୍ୟାନୁଷ୍ଠାନକୁ ସମାଲୋଚନା କରିବା ସହ ବିଜେପିକୁ ଟାର୍ଗେଟ କରିଛି ।
ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ଅଶୋକ ମିତ୍ତଲ ଏବଂ ତାଙ୍କ ପୁଅଙ୍କ ବାସଭବନରେ ED ପକ୍ଷରୁ ଚଢ଼ାଉ ଜାରି ରହିଛି। ପଞ୍ଜାବର ଜାଲନ୍ଧର ଏବଂ ହରିୟାଣାର ଗୁରୁଗ୍ରାମରେ ଏହି ଖୋଳତାଡ଼ ଚାଲିଛି। ନିକଟରେ AAP ପକ୍ଷରୁ ରାଘବ ଚଢ଼ାଙ୍କୁ ହଟାଇ ଅଶୋକ ମିତ୍ତଲଙ୍କୁ ରାଜ୍ୟସଭାରେ ଦଳର ଡେପୁଟି ଲିଡର (ଉପ-ନେତା) କରାଯାଇଥିଲା।
ସୂଚନା ଅନୁଯାୟୀ, ED ଅଶୋକ ମିତ୍ତଲଙ୍କ ପ୍ରାୟ ୮ ରୁ ୯ଟି ଠିକଣାରେ ଚଢ଼ାଉ କରିଛି। ସାଂସଦ ଏବଂ ତାଙ୍କ ପୁଅଙ୍କ ଗୁରୁଗ୍ରାମ ଓ ପଞ୍ଜାବ ସ୍ଥିତ ବାସଭବନରେ ଏହି ରେଡ୍ ଚାଲିଛି। ଅଶୋକ ମିତ୍ତଲ ଏକ ବିଶ୍ୱବିଦ୍ୟାଳୟ ପରିଚାଳନା କରନ୍ତି, ଯେଉଁଥିରେ ପାଣ୍ଠି ସମ୍ବନ୍ଧୀୟ କିଛି ଅନିୟମିତତା ମିଳିଥିବା ଅଭିଯୋଗ ହୋଇଛି। ବୁଧବାର ସକାଳ ପ୍ରାୟ ୯ଟା ସମୟରେ ED ଟିମ୍ ଜାଲନ୍ଧର ସ୍ଥିତ ତାଙ୍କ ବାସଭବନରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଘର ବାହାରେ ପୋଲିସ ମୁତୟନ ଅଛନ୍ତି। ED ଟିମ୍ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ସହିତ ଇଲେକ୍ଟ୍ରୋନିକ ଡିଭାଇସ୍ ଗୁଡ଼ିକୁ ମଧ୍ୟ ଯାଞ୍ଚ କରୁଛି। ତାଙ୍କ ଫାର୍ମ ହାଉସ୍ରେ ମଧ୍ୟ ଚଢ଼ାଉ ଜାରି ରହିଛି।
କିଏ ଏହି ଅଶୋକ ମିତ୍ତଲ?
ଅଶୋକ ମିତ୍ତଲ ନିକଟରେ ସେତେବେଳେ ଚର୍ଚ୍ଚାକୁ ଆସିଥିଲେ, ଯେତେବେଳେ ଆମ୍ ଆଦମୀ ପାର୍ଟି ରାଘବ ଚଢ଼ାଙ୍କୁ ହଟାଇ ତାଙ୍କୁ ରାଜ୍ୟସଭାରେ ଡେପୁଟି ଲିଡର ନିଯୁକ୍ତ କରିଥିଲା। ମିତ୍ତଲଙ୍କ ଜନ୍ମ ପଞ୍ଜାବର ଜାଲନ୍ଧରରେ ହୋଇଥିଲା। ସେ ଗୁରୁ ନାନକ ଦେବ ବିଶ୍ୱବିଦ୍ୟାଳୟରୁ ଆଇନ ପଢ଼ିଛନ୍ତି। AAP ସହ ଜଡ଼ିତ ହୋଇ ସେ ପଞ୍ଜାବ ରାଜନୀତିରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ। ୨୦୨୨ ମସିହାରେ ସେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ, ଯେଉଁଠାରେ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ନିଜର ପକ୍ଷ ରଖିଛନ୍ତି।