ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ରୋହିଣୀ ଅଞ୍ଚଳରେ ଥିବା ବସ୍ତିରେ ଆଜି ଭୋରରୁ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗୋଟିଏ ପରିବାରର ତିନି ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ସ୍ୱାମୀ, ସ୍ତ୍ରୀ ଏବଂ ସେମାନଙ୍କର ଦୁଇ ବର୍ଷର ଝିଅ ଅଛନ୍ତି।
ଅଗ୍ନିଶମ ବିଭାଗ ଅନୁଯାୟୀ ବୌଦ୍ଧବିହାର ଅଞ୍ଚଳରେ ଭୋର ପ୍ରାୟ ୧ଟା ୨୫ରେ ଅଗ୍ନିକାଣ୍ଡ ଘଟିଥିଲା। ସୂଚନା ପାଇବା ପରେ ତୁରନ୍ତ ଘଟଣାସ୍ଥଳକୁ ଛଅଟି ଦମକଳ ଗାଡ଼ି ପହଞ୍ଚି ଥିଲା। ବହୁତ ପ୍ରୟାସ ପରେ ନିଆଁକୁ ନିୟନ୍ତ୍ରଣ କରାଯାଇଥିଲା। କିନ୍ତୁ ସେତେବେଳକୁ ତିନି ଜଣଙ୍କ ମୃତ୍ୟୁ ହୋଇସାରିଥିଲା।
ଅଧିକାରୀଙ୍କ ଅନୁଯାୟୀ ଯେଉଁ ସ୍ଥାନରେ ନିଆଁ ଲାଗିଥିଲା ତାହା ପ୍ରାୟ ୪୦୦ ବର୍ଗ ଗଜ ଥିଲା, ଯେଉଁଠାରେ ପ୍ଲାଷ୍ଟିକ୍ ସ୍କ୍ରାପ୍ ଗଚ୍ଛିତ ଥିଲା ଏବଂ ନିକଟରେ ବସ୍ତି ଥିଲା। ସଂକୀର୍ଣ୍ଣ ରାସ୍ତା ଯୋଗୁଁ ବଡ଼ ଦମକଳ ଗାଡ଼ି ଘଟଣାସ୍ଥଳକୁ ପହଞ୍ଚି ପାରିନଥିଲା, ଯାହା ଉଦ୍ଧାର କାର୍ଯ୍ୟରେ ଯଥେଷ୍ଟ ବାଧା ସୃଷ୍ଟି କରିଥିଲା।
ଦିଲ୍ଲୀ ଅଗ୍ନିଶମ ସେବା ତିନୋଟି ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ସ୍ଥାନୀୟ ପୋଲିସ, ବିଦ୍ୟୁତ ବିଭାଗ ଏବଂ ଅନ୍ୟାନ୍ୟ ସଂସ୍ଥା ଘଟଣାସ୍ଥଳରେ ଉପସ୍ଥିତ ଥିଲେ। ଅଗ୍ନିକାଣ୍ଡର କାରଣ ବର୍ତ୍ତମାନ ତଦନ୍ତାଧୀନ ଅଛି। ଅଗ୍ନିଶମ ଅଧିକାରୀ ଅଜୟ ଶର୍ମା କହିଛନ୍ତି ଯେ ବସ୍ତି ମଧ୍ୟରେ ସଂଗୃହିତ ଅଳିଆ ଆବର୍ଜନା ଯୋଗୁଁ ଏହି ଘଟଣା ଘଟିଛି। ସେ କହିଛନ୍ତି ଯେ ନିଆଁ ଏବେ ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ଅଛି।
ସୂଚନାଯୋଗ୍ୟ ଦୁଇଦିନ ପୂର୍ବରୁ ଏପ୍ରିଲ ୧୨ ତାରିଖରେ ରାଜଘାଟ ବସ୍ ଷ୍ଟପ୍ ନିକଟରେ ଥିବା ବୁଦାରେ ନିଆଁ ଲାଗିଥିଲା। ସୂଚନା ପାଇ ଅନେକ ଅଗ୍ନିଶମ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ଚାରିରୁ ପାଞ୍ଚ କିଲୋମିଟର ଅଞ୍ଚଳରେ ବ୍ୟାପିଥିବା ନିଆଁକୁ ନିୟନ୍ତ୍ରଣ କରାଯାଇଥିଲା।
ଅଧିକ ପଢ଼ନ୍ତୁ: ଶାନ୍ତି ପ୍ରତିଷ୍ଠା ପାଉଁ ଉଦ୍ୟମ ଜାରି; ସେନାର ଛାଉଣୀରେ ପରିଣତ ହେଲା ନୋଏଡା