ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବନକଲାଗି ନୀତି। ବୈଶାଖ କୃଷ୍ଣ ତ୍ରୟୋଦଶୀ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ସନ୍ଧ୍ୟା ୬ରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଏହି ନୀତି ସମ୍ପାଦନ ବେଳେ ଶ୍ରୀଜୀଉଙ୍କ ସାଧାରଣ ଦର୍ଶନ ବନ୍ଦ ରହିବ।
ପରମ୍ପରା ଅନୁଯାୟୀ, ଦ୍ବିପ୍ରହର ଧୂପ ଶେଷ ପରେ ମନ୍ଦିରର ସମସ୍ତ ଦରଜା ବନ୍ଦ କରାଯାଇ ଏହି ନୀତି ସମ୍ପନ୍ନ କରାଯାଇଥାଏ। ଦତ୍ତମହାପାତ୍ର ସେବକମାନେ ରତ୍ନ ସିଂହାସନ ଉପରକୁ ଯାଇ ଠାକୁରମାନଙ୍କ ଶ୍ରୀମୁଖ ସିଂହାର କରିଥାନ୍ତି। ପ୍ରାୟ ୪ ଘଣ୍ଟା ଧରି ଏହି ବନକ ଲାଗି ନୀତି କରାଯାଉଥିବା ବେଳେ ମହାପ୍ରଭୁଙ୍କ ଶ୍ରୀମୁଖକୁ ବିଭିନ୍ନ ପ୍ରାକୃତିକ ରଙ୍ଗରେ ସଜ୍ଜିତ କରାଯିବ। ଏଥିପାଇଁ ଆବଶ୍ୟକ ହେଙ୍ଗୁଳ, ହରିତାଳ, କର୍ପୁର ଓ କସ୍ତୁରୀ ବ୍ୟବହାର କରାଯାଇ ଦତ୍ତ ମହାପାତ୍ର ସେବାୟତମାନେ ଏହି ନୀତି ସମ୍ପନ୍ନ କରିବେ।
ବନକ ଲାଗି ବା ଶ୍ରୀମୁଖ ଶୃଙ୍ଗାର ଦ୍ୱାରା ଶ୍ରୀଜିଉଙ୍କ ମୁଖ ମଣ୍ତଳ ଅଧିକ ସୁନ୍ଦର ଓ ଆକର୍ଷଣୀୟ ଦେଖାଯାଇଥାଏ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି।