ପୁରୀ: ଶ୍ରୀମନ୍ଦିରରରେ ବଡ଼ ମହାସ୍ନାନ। ରକ୍ତ ଛିଟା ପଡ଼ିଥିବାରୁ ଆଜି ହୋଇଛି ବଡ଼ ମହାସ୍ନାନ। ଶ୍ରୀମନ୍ଦିରର ଭିତର କଠା ଅଞ୍ଚଳରେ ରକ୍ତ ଚିହ୍ନ ଦେଖିବା ପରେ ସକାଳୁ ସାଧାରଣ ଦର୍ଶନକୁ ସ୍ଥଗିତ କରାଯାଇଥିଲା। ମଙ୍ଗଳ ଆଳତି ପରେ ସେବାୟତମାନେ ଏହି ଦୃଶ୍ୟ ଦେଖି ତୁରନ୍ତ ମନ୍ଦିର ପ୍ରଶାସନକୁ ସୂଚନା ଦେଇଥିଲେ। ପରେ ପରମ୍ପରା ଅନୁଯାୟୀ ମନ୍ଦିରର ପବିତ୍ରତା ରକ୍ଷା ପାଇଁ ‘ବଡ଼ ମହାସ୍ନାନ’ ନୀତି କରାଯାଇଥିଲା।
ଏହି ସମୟରେ ମନ୍ଦିର ଭିତରକୁ କେବଳ ଅଧିକୃତ ସେବାୟତମାନଙ୍କୁ ଯିବାକୁ ଅନୁମତି ମିଳିଥିଲା। ‘ଗୁପ୍ତ ନୀତି’ ଭାବେ ପରିଚିତ ଏହି ପବିତ୍ର କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ଗୋପନୀୟତାରେ ପାଳନ କରାଯାଇଥାଏ। ପୁରାତନ ପରମ୍ପରା ଅନୁସାରେ ଶ୍ରୀମନ୍ଦିରରେ ଏହି ଶୁଦ୍ଧିକରଣ ନୀତି ହୋଇଥିଲା। ନୀତି ସମ୍ପୂର୍ଣ୍ଣ ହେବା ପରେ ପୁନର୍ବାର ଭକ୍ତମାନଙ୍କ ପାଇଁ ଦର୍ଶନ ଖୋଲାଯାଇଥିଲା।
ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ, ମନ୍ଦିର ଭିତରେ ଯଦି ରକ୍ତ ଦାଗ, ଅଶୁଚି କିମ୍ବା ଅନ୍ୟ କୌଣସି ଅପବିତ୍ର ଘଟଣା ଘଟେ, ସେଥିରେ ‘ବଡ଼ ମହାସ୍ନାନ’ ନୀତି କରାଯାଏ। ଏହା ପରେ ମାତ୍ର ପୁନଃ ଭକ୍ତମାନଙ୍କୁ ଦର୍ଶନ ଅନୁମତି ମିଳେ।