ଭୁବନେଶ୍ୱର: ରାଜଧାନୀର ସବୁଠୁ ସୁରକ୍ଷିତ ଅଞ୍ଚଳ ବୋଲି ପରିଚିତ ଲୋକସେବା ଭବନରେ ହୋଇଛି ଚୋରି। ଯେଉଁଠାରେ କଡା ସୁରକ୍ଷା ବ୍ୟବସ୍ଥା ରହିଥାଏ, ସେଠାରୁ ହଠାତ୍ ଏସିର କିଛି ପାର୍ଟସ ଗାୟବ ହୋଇଯାଇଛି। ଏନେଇ କ୍ୟାପିଟାଲ ଥାନା ପୋଲିସ ମାମଲା ରୁଜୁ କରିବା ପରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ୨ ଜଣ ହେଉଛନ୍ତି ମନୋଜ କୁମାର ଦାସ ଓ ଚନ୍ଦନ ପଲେଇ। ତଦନ୍ତରେ ଜଣାପଡ଼ିଛି ଯେ, ନଭେମ୍ବର ୨୦୨୫ ଠାରୁ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣ କାମର ସୁଯୋଗ ନେଇ ସେମାନେ ଚୋରି କରିଥିଲେ।
କେଉଁଠାରୁ ହେଲା ଚୋରି?
ଲୋକସେବା ଭବନର ଅର୍ଥ ବିଭାଗର ଛାତ, ତଳ ମହଲା, ଉପସଚିବଙ୍କ ଚାମ୍ବର ଓ ଲାଇବ୍ରେରୀ ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନରୁ ୭ଟି ଏସି ୟୁନିଟର କମ୍ପ୍ରେସର ଓ ତମ୍ବା ପାଇପ ଚୋରି ହୋଇଥିଲା।
କେମିତି ଧରା ପଡ଼ିଲେ?
ସଚିବାଳୟ ସୁରକ୍ଷା କର୍ମଚାରୀମାନେ ସନ୍ଦେହରେ ଗାର୍ଡ ରୁମ ନିକଟରେ ଦୁଇଜଣଙ୍କୁ ଅଟକ ରଖିଥିଲେ। ସେମାନଙ୍କ ପାଖରୁ କଟା ତମ୍ବା ପାଇପ ଓ ଉପକରଣ ଭରା ବ୍ୟାଗ ମିଳିବା ପରେ ସମସ୍ତ ଖେଳ ଜଣାପଡିଥିଲା।
ଅଭିଯୁକ୍ତଙ୍କ ସ୍ୱୀକାରୋକ୍ତି
ପଚରାଉଚରା ସମୟରେ ଦୁଇଜଣ ମାନିଥିଲେ ଯେ, ମରାମତି କାମର ଆଡ଼ରେ ସେମାନେ ଧୀରେଧୀରେ ତମ୍ବା ପାଇପ ଓ ଏସିର ମୂଲ୍ୟବାନ ଅଂଶ ଚୋରି କରୁଥିଲେ। ଚୋରି ହୋଇଥିବା ସାମଗ୍ରୀର ଆନୁମାନିକ ମୂଲ୍ୟ ୧୦ ହଜାର ଟଙ୍କାରୁ ଅଧିକ ବୋଲି ଆକଳନ କରାଯାଇଛି। ପୋଲିସ ଉଭୟଙ୍କୁ କୋର୍ଟ ଚାଲାଣ କରିଛି ଏବଂ ଘଟଣାର ଆଉ ଅଧିକ ତଦନ୍ତ ଚାଲିଛି।