ଗଜପତି: ଗଜପତି ଜିଲ୍ଲା ରା.ଉଦୟଗିରି ଥାନା ଅଧୀନ ରୁବୁଡିସିଂ ପ୍ରାଥମିକ ବିଦ୍ୟାଳୟରେ ପାଚେରୀ ଭୁଶୁଡି ଦୁଇ ନିର୍ଦୋଷ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ଆସିଛି ବଡ଼ କାର୍ଯ୍ୟାନୁଷ୍ଠାନ। ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଥିବାବେଳେ, ନିର୍ମାଣ କାମ କରୁଥିବା ଠିକାଦାର ପ୍ରମିଳା ପୂଜାରୀଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି।
ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ବବିତା ପାତ୍ରଙ୍କ ସମୀକ୍ଷା ପରେ ଜିଲ୍ଲା ପ୍ରଶାସନ ଏହି କଠୋର ପଦକ୍ଷେପ ନେଇଛି। ସେହିସହ ୭ ଦିନ ମଧ୍ୟରେ ସମ୍ପୂର୍ଣ୍ଣ ତଦନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି।
ଗତ ବୁଧବାର ସକାଳୁଆ ସ୍କୁଲ ପରେ ପିଲାମାନେ ବିଦ୍ୟାଳୟ ପରିସରରେ ଖେଳୁଥିବା ବେଳେ ଘଟିଥିଲା ଏହି ଦୁର୍ଘଟଣା। ଚତୁର୍ଥ ଶ୍ରେଣୀର ଦୁଇ ଛାତ୍ରୀ ସାଙ୍ଗମାନଙ୍କ ସହ ଖେଳୁଥିବା ସମୟରେ ହଠାତ ପାଚେରୀ ଭାଙ୍ଗି ସେମାନଙ୍କ ଉପରେ ପଡିଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ଘଟିଥିଲା।
ଘଟଣା ପରେ ରା.ଉଦୟଗିରି ପୋଲିସ ଓ ନୂଆଗଡ଼ ବ୍ଲକ ପ୍ରଶାସନ ତଦନ୍ତ ଆରମ୍ଭ କରିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଘଟଣାରେ ଗଭୀର ଦୁଃଖ ପ୍ରକାଶ କରି, ମୃତ ଛାତ୍ରୀଙ୍କ ପରିବାର ପାଇଁ ୩ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି।