ଭୁବନେଶ୍ୱର: ଓଡ଼ିଶା ରାଜନୀତିରେ ‘ସୀମା ପୁନଃ ନିର୍ଦ୍ଧାରଣ ବିଲ’କୁ ନେଇ ତେଜ ହୋଇଛି ବାକ୍ଯୁଦ୍ଧ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେଡି ସଭାପତି ଓ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ କଡ଼ା ସମାଲୋଚନା କରି, ବିଲ୍ ବିଷୟରେ “ମିଛ ତଥ୍ୟ ଦେଇ ଭୟ ସୃଷ୍ଟି” କରୁଥିବା ଅଭିଯୋଗ ଆଣିଛନ୍ତି। ସୋସିଆଲ ମିଡିଆରେ ପୋଷ୍ଟ କରି ସେ କହିଛନ୍ତି, ନବୀନଙ୍କ ଚିଠିରେ ଉଠାଇଥିବା ଆଶଙ୍କା ଭ୍ରମାତ୍ମକ ଓ ରାଜନୀତିକ ଉଦ୍ଦେଶ୍ୟପ୍ରଣୋଦିତ।
ଧର୍ମେନ୍ଦ୍ରଙ୍କ ମତାନୁସାରେ, ଏହି ବିଲ୍ ପାରିତ ହେଲେ ଓଡ଼ିଶାର ରାଜନୈତିକ କିମ୍ବା ଅର୍ଥନୈତିକ ସ୍ୱାର୍ଥ କ୍ଷୁର୍ଣ୍ଣ ହେବ ବୋଲି ଯେ ଦାବି ହେଉଛି, ତାହାର କୌଣସି ଭିତ୍ତି ନାହିଁ। ସେ କହିଛନ୍ତି, ଦେଶର ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ସଂସଦରେ ସ୍ପଷ୍ଟ କରିଛନ୍ତି ଯେ, କୌଣସି ରାଜ୍ୟର ଅଧିକାର କମିବ ନାହିଁ। ଓଡ଼ିଶାର ପ୍ରତିନିଧିତ୍ୱ କମିବ ନୁହେଁ, ବରଂ ବଢିବ ବୋଲି ସେ ଦାବି କରିଛନ୍ତି।
ଅନ୍ୟପଟେ, ନବୀନ ପଟ୍ଟନାୟକ ଏହି ବିଲ୍କୁ ନେଇ ଆଶଙ୍କା ପ୍ରକଟ କରି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି ସ୍ୱତନ୍ତ୍ର ବିଧାନସଭା ଅଧିବେଶନ ଡାକିବାକୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି, ଡିଲିମିଟେସନ ପରେ ଓଡ଼ିଶାର ଲୋକସଭା ଆସନ ସଂଖ୍ୟା ବଢି ୨୯ ହେବା ସତ୍ତ୍ୱେ, ମୋଟ ଆସନରେ ଆନୁପାତିକ ହାର ୩.୯%ରୁ ୩.୪%କୁ କମିଯିବ।
ଧର୍ମେନ୍ଦ୍ର ପ୍ରଧାନ ଆଉ ମଧ୍ୟ କହିଛନ୍ତି, ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ମହିଳା ସଶକ୍ତିକରଣ ପାଇଁ ଐତିହାସିକ ପଦକ୍ଷେପ ଓ ଏହାକୁ ସମସ୍ତଙ୍କୁ ଖୋଲା ମନରେ ସମର୍ଥନ କରିବା ଉଚିତ୍। ସେ ଆହ୍ୱାନ କରିଛନ୍ତି ଯେ, ଏହି ପ୍ରସଙ୍ଗକୁ ବିବାଦର ରୂପ ନଦେଇ ଦେଶର ସାମଗ୍ରିକ ବିକାଶ ଉପରେ ଗୁରୁତ୍ୱ ଦିଆଯାଉ।