ମୟୁରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡା ଥାନା ଅଧୀନ କାଲିଆପୋସି ଗାଁରେ ଶୁକ୍ରବାର ସକାଳେ ଘଟିଛି ଏକ ହୃଦୟବିଦାରକ ଘଟଣା। ଗାଁ ବାହାରେ ଥିବା ଗଛରେ ଝୁଲନ୍ତା ଅବସ୍ଥାରେ ଜଣେ ପ୍ରେମୀ ଯୁଗଳଙ୍କ ମୃତଦେହ ମିଳିଛି। ସକାଳେ କିଛି ଗ୍ରାମବାସୀ ଗାଁ ବାହାରେ ଯାଉଥିବାବେଳେ ଏହି ଦୃଶ୍ୟ ଦେଖିଥିଲେ। ଗଛ ତଳେ ଥିବା ପାଣି ବୋତଲ ଓ କଲେଜ ବ୍ୟାଗ ଦେଖି ସେମାନେ ସନ୍ଦେହ କରିଥିଲେ। ପରେ ନିକଟକୁ ଯାଇ ଦୁହିଁଙ୍କ ମୃତଦେହ ଝୁଲିଥିବା ଦେଖି ପୋଲିସକୁ ଖବର ଦେଇଥିଲେ।
ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ, ଦୁହେଁ ପ୍ରେମ ସମ୍ପର୍କରେ ଥିଲେ। ମୃତ ଯୁବତୀ କାଲିଆପୋସି ଗାଁର ହୋଇଥିବାବେଳେ, ଯୁବକ କରଞ୍ଜିଆ ଥାନା ଅଧୀନ ସୁନାପୋସି ଅଞ୍ଚଳର ବାସିନ୍ଦା। ପ୍ରେମ ସମ୍ପର୍କରେ କିଛି ସମସ୍ୟା ଥିବାରୁ ଦୁହେଁ ଏଭଳି ଚରମ ପଦକ୍ଷେପ ନେଇଥିବା ସନ୍ଦେହ କରୁଛି ପୋଲିସ।
ଖବର ପାଇ ଠାକୁରମୁଣ୍ଡା ପୋଲିସ ଓ ଅଗ୍ନିଶମ ବିଭାଗ ଦଳ ଘଟଣାସ୍ଥଳକୁ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି। ମୃତଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ଘଟଣାର ସଠିକ କାରଣ ପରେ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି। ଏହି ଘଟଣା ପୁଣିଥରେ ପ୍ରେମ ସମ୍ପର୍କରେ ସମାଜିକ ଚାପ ଓ ଯୁବପିଢ଼ୀଙ୍କ ମାନସିକ ସ୍ଥିତିକୁ ନେଇ ଗଭୀର ପ୍ରଶ୍ନ ଉଠାଇଛି।