ନୂଆଦିଲ୍ଲୀ: ୪୦ ଦିନ ପରେ ହର୍ମୁଜ ପ୍ରଣାଳୀ ସଂପୂର୍ଣ୍ଣ ଭାବେ ଖୋଲି ଯାଇଛି । ଇରାନର ବୈଦେଶିକ ମନ୍ତ୍ରୀ ଅବାସ ଅରାଘଚୀ ଶୁକ୍ରବାର ଏହାର ଘୋଷଣା କରିଛନ୍ତି । ଅରାଘଚୀ କହିଛନ୍ତି, ଏବେ ସମସ୍ତ ଜାହାଜ ସହଜରେ ହର୍ମୁଜ ପ୍ରଣାଳୀ ଦେଇ ଯାତାୟତ କରି ପାରିବେ । ଲେବାନନରେ ଅସ୍ତ୍ରବିରତି ପରେ ଆମେ ଏହି ନିଷ୍ପତ୍ତି ନେଇଛୁ । ଆମେରିକା ଓ ଇସ୍ରାଏଲ ମିଳିତ ଭାବେ ଆକ୍ରମଣ କରିବା ପରେ ଇରାନ ହର୍ମୁଜ ପ୍ରଣାଳୀକୁ ଅବରୋଧ କରିଥିଲା । ପ୍ରଭାବରେ ସମଗ୍ର ବିଶ୍ୱରେ ଶକ୍ତି ସଙ୍କଟ ଦେଖା ଦେଇଥିଲା ।
ଏକ ସୋସିଆଲ ମିଡିଆ ପୋଷ୍ଟରେ ବିଦେଶ ମନ୍ତ୍ରୀ ଅରାଘଚୀ କହିଛନ୍ତି, ଯେ ପର୍ଯ୍ୟନ୍ତ ଅସ୍ଥାୟୀ ଅସ୍ତ୍ରବିରତି ଅଛି ସେ ପର୍ଯ୍ୟନ୍ତ ହର୍ମୁଜରେ ସମସ୍ତ ବାଣିଜ୍ୟିକ ଜାହାଜ ଆରାମରେ ଅତିକ୍ରମ କରି ପାରିବେ । ସମସ୍ତ ଜାହଜ ଇସଲାମୀ ଗଣରାଜ୍ୟର ବନ୍ଦର ଓ ସମୁଦ୍ରୀ ସଂଗଠନ ଦ୍ୱାରା ପୂର୍ବରୁ ଘୋଷିତ ସମନ୍ୱିତ ମାର୍ଗ ଦେଇ ଯାତାୟତ କରି ପାରିବେ ।
ହର୍ମୁଜ ଖୋଲିବାକୁ କାହିଁକି ନିଷ୍ପତ୍ତି ନେଲା ଇରାନ ?
୧ - ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୁଇ ଦିନ ପୂର୍ବେ ହର୍ମୁଜରୁ ନାକାବନ୍ଦୀ ହଟାଇବାକୁ ଘୋଷଣା କରିଥିଲେ । ଟ୍ରମ୍ପ ଏକା ସାକ୍ଷାତକାରରେ କହିଥିଲେ ଯେ, ଚୀନ ସହ ମୋର ଆଲୋଚନା ହୋଇଛି । ଆମେ ନାକାବନ୍ଦୀ ହଟାଇବୁ । ହର୍ମୁଜକୁ ନେଇ ଇରାନ ଆମ ସହ ସହମତି ପ୍ରକାଶ କରିଛି । ଚୀନ ମଧ୍ୟ ଆମର କଥା ସ୍ୱୀକାର କରିଛି ।
୨ – ଇରାନ ଉପରେ ଅସ୍ତ୍ରବିରତିକୁ ଆଗକୁ ବଢାଇବା ପାଇଁ ହର୍ମୁଜ ଖୋଲିବା ନେଇ ଚାପ ରହିଥିଲା । ଆମେରିକା କହିଥିଲା ଯେ, ଅସ୍ତ୍ରବିରତି ଉପରେ ଆଲୋଚନା ତେବେ ଆଗକୁ ବଢିବ ଯେବେ ଇରାନ ହର୍ମୁଜ ଖୋଲିବ । ଏହା ପରେ ଇରାନ ଓ ଆମେରିକା ମଧ୍ୟରେ ଅସ୍ତ୍ରବିରତିକୁ ଆଗକୁ ବଢାଇବା ପାଇଁ ସହମତି ପ୍ରକାଶ ପାଇଥିଲା । ଏହି ପଦକ୍ଷେପସ୍ୱରୂପ ହର୍ମୁଜକୁ ଇରାନ ଖୋଲି ଦେଇଛି ।
୩ – ହର୍ମୁଜ ଖୋଲିବା ପାଇଁ ଇରାନ ଉପରେ ଚାପ ରହିଥିଲା । ହର୍ମୁଜ ଖୋଲିବା ନେଇ ପ୍ୟାରିସରେ ୪୦ ଦେଶର ଏକ ବୈଠକ ମଧ୍ୟ ପ୍ରସ୍ତାବିତ ରହିଛି । ଏହି ବୈଠକରେ ଫ୍ରାନ୍ସ-ବ୍ରିଟେନ ସହ ଅନେକ ଦେଶର ନେତା ସାମିଲ୍ ହେବେ । ଇରାନ ବର୍ତ୍ତମାନ ଏକ ସଙ୍ଗେ ଏତେ ଦେଶ ସହିତ ଶତ୍ରୁତା କରିବାକୁ ଉଚିତ୍ ମଣି ନାହିଁ । ତେଣୁ ଏହି ଦେଶ ହର୍ମୁଜ ପ୍ରଣାଳୀ ଖୋଲି ଦେଇଛି ।