ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ପାକିସ୍ତାନୀ ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ ଅସୀମ ମୁନିର ଇରାନର ରାଜଧାନୀ ପହଞ୍ଚିଛନ୍ତି। ସେ ଇରାନକୁ ଆମେରିକାର ବାର୍ତ୍ତା ପହଞ୍ଚାଇବା ପାଇଁ ଏକ ପ୍ରତିନିଧିମଣ୍ଡଳୀ ସହିତ ତେହେରାନରେ ପହଞ୍ଚିଛନ୍ତି। ପାକିସ୍ତାନୀ ପ୍ରତିନିଧିମଣ୍ଡଳ ଦୁଇ ଦେଶ ମଧ୍ୟରେ ଦ୍ଵିତୀୟ ପର୍ଯ୍ୟାୟ ଆଲୋଚନା ପାଇଁ ଯଥା ସମ୍ଭବ ଉଦ୍ୟମ ଜାରି ରଖିଛି।
ପୂର୍ବରୁ, ଇରାନର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଇସମାଇଲ ବାକାଇ ସାପ୍ତାହିକ ପ୍ରେସ ବ୍ରିଫିଂରେ ସ୍ପଷ୍ଟ କରିଥିଲେ ଯେ ଇସଲାମାବାଦରେ ଅନୁଷ୍ଠିତ ଶାନ୍ତି ଆଲୋଚନାକୁ ଆଗକୁ ବଢ଼ାଇବା ପାଇଁ ତେହେରାନ ଖୁବ୍ ଶୀଘ୍ର ଏକ ପାକିସ୍ତାନୀ ପ୍ରତିନିଧିମଣ୍ଡଳକୁ ସ୍ଵାଗତ କରିବ। ଗତ ଶନିବାର ଇସଲାମାବାଦରେ ଯୁଦ୍ଧ ଶେଷ କରିବା ଏବଂ ଶାନ୍ତି ପ୍ରତିଷ୍ଠା କରିବା ଉଦ୍ଦେଶ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଉଚ୍ଚସ୍ତରୀୟ ଆଲୋଚନା ବିଫଳ ହୋଇଥିଲା। ଏହା ପରେ ଦ୍ଵିତୀୟ ପର୍ଯ୍ୟାୟ ଆଲୋଚନା ପାଇଁ ଦୁଇ ଦେଶ ପକ୍ଷରୁ ସରକାତ୍ମକ ସଙ୍କେତ ମିଳିଛି।
ରିପୋର୍ଟ ଅନୁଯାୟୀ, ବାକାଇ କହିଛନ୍ତି ଯେ ଶନିବାର ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆଲୋଚନା ବିଫଳ ହେବା ପରେ ଏପ୍ରିଲ ୧୨ରେ ଇରାନ ପ୍ରତିନିଧିମଣ୍ଡଳୀ ତେହେରାନ ଫେରିବା ପରଠାରୁ ପାକିସ୍ତାନ ସହିତ ଅନେକ ବାର୍ତ୍ତା ଆଦାନପ୍ରଦାନ ହୋଇଛି। ସେ କହିଛନ୍ତି ଯେ ଆଲୋଚନା ସମୟରେ ଆମେରିକାର କିଛି ଦାବି ଭିତ୍ତିହୀନ ଏବଂ ଯୁକ୍ତିଯୁକ୍ତ ନ ଥିଲା।
ଏହି ସମୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ABC ନ୍ୟୁଜକୁ କହିଛନ୍ତି ଯେଆପଣ ଆଗକୁ ଦୁଇଟି ସୁନ୍ଦର ଦିନ ଦେଖିବେ। ଫଳାଫଳ କିଛି ବି ହୋଇପାରେ, କିନ୍ତୁ ମୁଁ ଭାବୁଛି ଯଦି ଏକ ଚୁକ୍ତି ହୁଏ ତେବେ ତାହା ଭଲ ହେବ, କାରଣ ତା'ପରେ ଇରାନ ନିଜ ଦେଶକୁ ପୁନଃନିର୍ମାଣ କରିପାରିବେ। ସେ ଏହା ମଧ୍ୟ ଜୋର ଦେଇଛନ୍ତି ଏବେ ସେଠାରେ ପ୍ରକୃତରେ ଏକ ଭିନ୍ନ ପ୍ରକାରର ସରକାର ଅଛି।