ବେଙ୍ଗାଲୁରୁ: ଲଖନଉ ସୁପର ଜାଏଣ୍ଟସ ବିପକ୍ଷରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଧମାକାଦାର ବିଜୟ । ବୋଲିଂ ପରେ ବ୍ୟାଟିଂରେ ଧମାଲ । ଆରସିବି ଏଲଏସଜିକୁ ୫ ୱିକେଟରେ ହରାଇ ଚଳିତ ସିଜିନରେ ଚତୁର୍ଥ ବିଜୟ ହାସଲ କରିଛି । ବିଜୟ ସହ ପଏଣ୍ଟ ତାଲିକାର ଶୀର୍ଷକୁ ଉଠିଛି ଆରସିବି । ଅନ୍ୟପଟେ ଏଲଏସଜି ନିଜର ପଞ୍ଚମ ମ୍ୟାଚରୁ ତୃତୀୟ ପରାଜୟ ଭୋଗିଛି । ମ୍ୟାଚରେ ଲଖନଉ ପ୍ରଥମେ ବ୍ୟାଟିଂ କରି ଆରସିବି ବୋଲରଙ୍କ ଉଚିତ୍ ମୁକାବିଲା କରି ନ ପାରି ୧୪୬ ରନ କରିଥିଲା । ଜବାବରେ ଆରସିବି ଅନାୟସରେ ୧୫.୧ ଓଭରରେ ୫ ୱିକେଟରେ ମ୍ୟାଚକୁ ଜିତି ନେଇଛି । ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଲଖନଉ ବିପକ୍ଷରେ ଆରସିବିର ଏହା ପ୍ରଥମ ବିଜୟ ।
୧୪୭ ରନ ବିଜୟ ଲକ୍ଷ୍ୟ ପିଛା କରିବା ସମୟରେ ବେଙ୍ଗାଲୁରୁ ପକ୍ଷରୁ ଷ୍ଟାର ବ୍ୟାଟର ବିରାଟ କୋହଲି ସର୍ବାଧିକ ୪୯ ରନ କରିଛନ୍ତି । ଫିଲ ସଲ୍ଟ ୭ ରନ କରି ନିରାଶ କରିଥିବା ବେଳେ ଦେବଦତ୍ତ ପାଡିକଲ ୧୦ ରନ କରି ଆଉଟ୍ ହୋଇଥିଲେ । ଅଧିନାୟକ ରଜତ ପାଟିଦାର ଦ୍ରୁତ ୨୭ ରନ ଓ ଜିତେଶ ଶର୍ମା ୯ ବଲରୁ ୨୩ ରନ କରି ମ୍ୟାଚକୁ ଏକତରଫା କରି ଦେଇଥିଲେ । ବାକି ଔପଚାରିକତା ପୂରଣ କରିଥିଲେ ଟିମ୍ ଡେଭିଡ ଓ ରୋମାରିଓ ଶେଫର୍ଡ । ଦୁଇ ବ୍ୟାଟର ୧୪-୧୪ ରନ କରି ଅପରାଜିତ ଥିଲେ ।
ଏହା ପୂର୍ବରୁ ଟସ୍ ହାରି ଲଖନଉ ସୁପର ଜାଏଣ୍ଟଓ ପ୍ରଥମେ ବ୍ୟାଟିଂ କରିଥିଲା । ଦଦଳ ପକ୍ଷରୁ ସର୍ବାଧିକ ରନ ମିଚେଲ୍ ମାର୍ଶ ୪୦ ରନ କରିଥିଲେ । ମଧ୍ୟକ୍ରମରେ ଅଧିନାୟକ ଋଷଭ ପନ୍ତ ଓ ନିକୋଲାସ ପୂରଣ ନିରାଶ କରିଥିଲେ । ଉଭୟ ୧-୧ ରନ କରି ପାଭିଲିୟନ ଫେରିଥିଲେ । ହେଲେ ଆୟୁଷ ବାଦୋନୀ ୩୮ ରନ ଓ ମୁକୁଲ ଚୌଧୁରୀ ୩୯ ରନ କରିବାରୁ ଲଖଉନ ୧୪୬ ରନର ସମ୍ମାନଜନକ ସ୍କୋର କରି ପାରିଥିଲା । ବୋଲିଂରେ ଆରସିବି ପକ୍ଷରୁ ରଶିଖ ସଲାମ ଡାର ୨୪ ରନ ଦେଇ ୪ଟି ଓ ଭୁବନେଶ୍ୱର କୁମାର ୨୭ ରନ ଦେଇ ୩ଟି ୱିକେଟ ନେଇଥିଲେ ।