ନୂଆଦିଲ୍ଲୀ: ଶାନ୍ତି ବୈଠକ କରାଉଥିବା ପାକିସ୍ତାନକୁ ଆମେରିକା ଦେଲା ଝଟକା । ହର୍ମୁଜରୁ ପାକିସ୍ତାନର ୨ ଜାହାଜକୁ ଆମେରିକା ଫେରାଇ ଦେଇଛି । ପାକିସ୍ତାନକୁ ଏହି ଝଟକା ଏମିତି ସମୟରେ ଲାଗିଛି ଯେତେବେଳେ ସେ ଆମେରିକା ଓ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ପାଇଁ ମଧ୍ୟସ୍ଥତା ଭାବେ ଉଦ୍ୟମ ଜାରି ରଖିଛି । ସବୁଠୁ ବଡ କଥା ପାକିସ୍ତାନର ଜାହାଜକୁ ସେହି ସମୟରେ ଆମେରିକା ଫେରାଇ ଦେଇଛି ଯେତେବେଳେ ଚୀନ ସମେତ କିଛି ଦେଶର ୨୦ ଜାହାଜ ଅବାଧ ଭାବେ ଯାତାୟତ କରୁଛି । ଏହାକୁ ନେଇ ପାକିସ୍ତାନ ସରକାରଙ୍କ ପକ୍ଷରୁ ଆନୁଷ୍ଠାନିକ ପ୍ରତିକ୍ରିୟା ଆସିନାହିଁ ।
ଅଲ ଅରବିଆ ମୁତାବକ ପାକିସ୍ତାନର ପତାକା ଥିବା ୨ଟି ଜାହାଜ ମଙ୍ଗଳବାର ହର୍ମୁଜରୁ ବାହାରିବାକୁ ଉଦ୍ୟମ କରିଥିଲା । ମାତ୍ର ଆମେରିକା ସେନା ଦୁଇ ଜାହାକୁ ହର୍ମୁଜ ଅତିକ୍ରମ କରିବାକୁ ଦେଇ ନାହାନ୍ତି । ଆଉ ସେହି ସମୟରେ ଉକ୍ତ ମାର୍ଗ ଦେଇ ଅନ୍ୟ ଦେଶର ଜାହାଜ ଅତିକ୍ରମ କରୁଥିଲା ।
ପାକିସ୍ତାନର ୨୦ ଜାହାଜକୁ ମିଳିଛି ପାସ୍
ଇରାନ ହର୍ମୁଜରୁ ଜାହାଜ ନେଇ ଯିବା ପାଇଁ ପାକିସ୍ତାନକୁ ୨୦ ପାସ୍ ଦେଇଛି । ଏହି ପାସ୍ ଜରିଆରେ ଇରାନ ହର୍ମୁଜରୁ ପାକିସ୍ତାନର ଜାହାଜଗୁଡିକୁ ସୁରକ୍ଷିତ କାଢିବା ପାଇଁ ପ୍ରତିଶ୍ରୁତି ଦେଇଥିଲା । ପାକିସ୍ତାନ ଏ ପର୍ଯ୍ୟନ୍ତ ୪ଟି ପାସ୍ ବ୍ୟବହାର କରି ସାରିଛି । ମାତ୍ର ଏବେ ଆମେରିକା ତାକୁ ଝଟକା ଦେଇଛି ।
ପାକିସ୍ତାନର ଜାହାଜ ଚଳାଚଳ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ, ଯେବେ ଇରାନ ହର୍ମୁଜ ପ୍ରଣାଳୀ ଅବରୋଧ କରିଥିଲା, ସେହି ସମୟରେ ଆମେ ଚିନ୍ତିତ ନ ଥିଲୁ । ଏବେ ଆମେରିକା ଆମ ଜାହାଜ ଫେରାଇ ଦେଇଛି । ଜାହାଜ ଚଳାଚଳ ମନ୍ତ୍ରୀ ଜୁନେଦ ଅନୱରଙ୍କ କହିବା କଥା ଅନ୍ୟ ଦେଶ ପରି ପାକିସ୍ତାନକୁ ଏମିତି କଠିନ ପରିସ୍ଥିତିର ସାମ୍ନା କରିବାକୁ ପଡିଛି । ଆମେ ଲଗାତାର ଆଲୋଚନା କରୁଛୁ ଏବଂ ସମସ୍ୟାର ସମାଧାନ ବାହାର କରିବାକୁ ଉଦ୍ୟମ କରୁଛୁ ।
ଆମେରିକା ହର୍ମୁଜ୍ ବାହାରେ ଅବରୋଧ ଘୋଷଣା କରିଛି। ଏହାର ଏକ ଅଂଶ ସ୍ୱରୂପ, ଆମେରିକା ଓମାନ ଉପସାଗର ଏବଂ ଆରବ ସାଗରରେ ୧୦,୦୦୦ ସୈନ୍ୟ ମୁତୟନ କରିଛି। ଏହା ସତ୍ତ୍ୱେ, ଅବରୋଧର ପ୍ରଥମ ଦିନରେ, ୨୦ଟି ଜାହାଜ ଏହି ରାସ୍ତା ଦେଇ କୌଣସି ଭୟ ବିନା ଯାଇଛି। ୱାଶିଂଟନ୍ ପୋଷ୍ଟ ଅନୁଯାୟୀ, ଆମେରିକା ସେନା କେବଳ ଛଅଟି ଜାହାଜକୁ ଅଟକାଇଛି। ଆଶ୍ଚର୍ଯ୍ୟଜନକ ଭାବରେ, ଏହି ଜାହାଜ ମଧ୍ୟରୁ ଦୁଇଟି ପାକିସ୍ତାନର ଥିଲା।