ଭୁବନେଶ୍ୱର: ଗଜପତି ଜିଲ୍ଲା ଆର.ଉଦଗିରି ଥାନା ଅନ୍ତର୍ଗତ ରୁବୁଡିସିଂ ପ୍ରାଥମିକ ବିଦ୍ୟାଳୟରେ ଦୁଇ ମୃତ ଛାତ୍ରୀଙ୍କ ନିକଟ ସମ୍ପର୍କୀୟ ପାଇଁ ସହାୟତା ଘୋଷଣା କରିଛନ୍ତି । ଏହା ସହିତ ଘଟଣାର ଆରଡିସି ସ୍ତରୀୟ ତଦନ୍ତ ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି ।
ଦୁଇ ମୃତ ଛାତ୍ରୀ ତଥା ବିନିୟମ ରଇତଙ୍କ ଝିଅ ଇଦାନ୍ତି ରଇତ ଏବଂ ବିନୋଦ ରଇତଙ୍କ ଝିଅ ବେକଲସ ରଇତ ଙ୍କର ଦୁଃଖଦ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଃଖ ପ୍ରକାଶ କରିଛନ୍ତି । ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ଏଥିସହ ପ୍ରତି ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ରୁ ୩ ଲକ୍ଷ ଲେଖାଏଁ ସହାୟତା ଘୋଷଣା କରିଛନ୍ତି। ତତସହିତ ମୁଖ୍ୟମନ୍ତ୍ରୀ ଆରଡିସି ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନା ଅନୁଯାୟୀ, ଆଜି ଛାତ୍ରଛାତ୍ରୀମାନେ ବିଦ୍ୟାଳୟରେ ଖେଳୁଥିବାବେଳେ ହଠାତ୍ ପାଚେରୀ ଓ ଗେଟ୍ ଭୁଶୁଡ଼ି ପଡ଼ିଥିଲା । ଭଗ୍ନାବଶେଷ ତଳେ ଦୁଇ ଜଣ ଛାତ୍ରୀ ଚାପି ହୋଇ ପ୍ରାଣ ହରାଇଥିଲେ । ମୃତକଙ୍କ ମଧ୍ୟରୁ ଜଣେ ଚତୁର୍ଥ ଓ ଆଉ ଜଣେ ପଞ୍ଚମ ଶ୍ରେଣୀର ଛାତ୍ରୀ ।
ଉଲ୍ଲେଖ ଯୋଗ୍ୟ, ଗତ ଦୁଇ ଦିନ ମଧ୍ୟରେ ରାଜ୍ୟରେ ୩ ଜଣ ଛାତ୍ରୀଙ୍କର ମୃତ୍ୟୁ ହୋଇସାରିଲାଣି । ଗତକାଲି ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ କାକବନ୍ଧ ଆଶ୍ରମ ବିଦ୍ୟାଳୟରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ୫ମ ଶ୍ରେଣୀ ଛାତ୍ରୀ ରୁପାଲି ବେଶ୍ରାଙ୍କ ମୃତ୍ୟୁ ହୋଇଥିଲା । ବାରିପଦା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଛାତ୍ରୀ ଜଣକ ପ୍ରାଣ ହରାଇଛନ୍ତି । ଏହି ଘଟଣାର ଆରଡିସି ସ୍ତରୀୟ ତଦନ୍ତ ଆରମ୍ଭ ହୋଇଛି ।