ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ଦ୍ଵିତୀୟ ପର୍ଯ୍ୟାୟ ଆଲୋଚନା ପାଇଁ ସଙ୍କେତ ଦେଇଛନ୍ତି। ଟ୍ରମ୍ପଙ୍କ ଏହି ସଙ୍କେତ ଏମିତି ସମୟରେ ଆସିଛି ଯେତେବେଳେ ଆମେରିକା ନୌସେନା ହର୍ମୁଜ ପ୍ରଣାଳୀକୁ ଅବରୋଧ କରି ରଖିଛନ୍ତି। ନ୍ୟୁୟର୍କ ପୋଷ୍ଟ ସହିତ ଆଲୋଚନା ବେଳେ ଟ୍ରମ୍ପ କହିଛନ୍ତି ଯେ ଆମେରିକା ଏବଂ ଇରାନ ଅଧିକାରୀମାନେ ଆଗାମୀ ଦୁଇ ଦିନ ମଧ୍ୟରେ ଇସଲାମାବାଦରେ ପୁଣି ଥରେ ସାକ୍ଷାତ କରି ପାରନ୍ତି ସେ ହୋଟେଲ ସେରେନା ବିଷୟରେ ଉଲ୍ଲେଖ କରିଥିଲେ, ଯେଉଁଠାରେ ପ୍ରଥମ ବୈଠକ ଏପ୍ରିଲ ୧୧ ତାରିଖରେ ହୋଇଥିଲା ଏବଂ ଦ୍ଵିତୀୟ ପର୍ଯ୍ୟାୟ ଆଲୋଚନା ପୁଣି ଥରେ ସେଠାରେ ହୋଇପାରେ।
ଟ୍ରମ୍ପ ପାକିସ୍ତାନ ସେନା ମୁଖ୍ୟ ଅସୀମ ମୁନିରଙ୍କୁ ମଧ୍ୟ ପ୍ରଶଂସା କରି କହିଛନ୍ତି ଯେ ସେ ଏକ ମହାନ କାମ କରୁଛନ୍ତି। ଏବେ ଇରାନ ଓ ଆମେରିକା ମଧ୍ୟରେ ଦ୍ଵିତୀୟ ବୈଠକର ସମ୍ଭାବନା ବୃଦ୍ଧି ପାଇଛି। ଏହା ସୂଚାଉଛି ଯେ ପାକିସ୍ତାନ ଆଲୋଚନାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ତଥାପି, ଟ୍ରମ୍ପଙ୍କ ବକ୍ତବ୍ୟରେ ମଧ୍ୟ କିଛିଟା ଦ୍ଵନ୍ଦ୍ଵ ଥିବା ପରି ମନେ ହେଉଛି। ସେ ପୂର୍ବରୁ କହିଥିଲେ ଯେ ଆଲୋଚନା ଧୀରେ ଧୀରେ ଆଗକୁ ବଢ଼ୁଛି ଏବଂ ପରବର୍ତ୍ତୀ ବୈଠକ ପାକିସ୍ତାନରେ ଅନୁଷ୍ଠିତ ନ ହୋଇପାରେ। ସେ ଏହା ମଧ୍ୟ ସଙ୍କେତ ଦେଇଥିଲେ ଯେ ପରବର୍ତ୍ତୀ ବୈଠକ ୟୁରୋପ ପରି ଅନ୍ୟ କୌଣସି ସ୍ଥାନରେ ଅନୁଷ୍ଠିତ ହୋଇପାରେ।
ସମୟ ଏବଂ ସ୍ଥାନ ସ୍ଥିର ହୋଇନି
ଏହା ସ୍ପଷ୍ଟ ଭାବରେ ସୂଚାଉଛି ଯେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ସମ୍ପୂର୍ଣ୍ଣ ଭାବରେ ଶେଷ ହୋଇନାହିଁ। ଉଭୟ ପକ୍ଷ ଏବେ ବି ଆଲୋଚନା ମାଧ୍ୟମରେ ସମାଧାନର ମାର୍ଗ ବାହାର କରିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ସ୍ଥାନ ଏବଂ ସମୟ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି। ଦୁଇ ସପ୍ତାହର ଅସ୍ତ୍ରବିରତି ଘୋଷଣା ପରେ, ଇରାନ ଏବଂ ଆମେରିକାର ପ୍ରତିନିଧିମଣ୍ଡଳ ଇସଲାମାବାଦରେ ସାକ୍ଷାତ କରିଥିଲେ, କିନ୍ତୁ ବୈଠକ କୌଣସି ନିଷ୍କର୍ସରେ ପହଞ୍ଚି ପାରି ନ ଥିଲା। ଆଲୋଚନା ବିଫଳ ହେବା ପାଇଁ ଉଭୟ ପକ୍ଷ ପରସ୍ପରକୁ ଦାୟୀ କରିଥିଲେ।
କୌଣସି ଜାହାଜ ହର୍ମୁଜ୍ ପ୍ରଣାଳୀ ଦେଇ ପାର ହୋଇନି
ଆମେରିକା କହିଛି ଯେ ଇରାନ ବନ୍ଦର ଏବଂ ଉପକୂଳବର୍ତ୍ତୀ ଅଞ୍ଚଳ ଉପରେ ଲଗାଯାଇଥିବା ଅବରୋଧର ପ୍ରଥମ ୨୪ଘଣ୍ଟା ମଧ୍ୟରେ କୌଣସି ଜାହାଜ ହର୍ମୁଜ୍ ପ୍ରଣାଳୀ ଦେଇ ପାର ହୋଇନାହିଁ। ଆମେରିକାର କେନ୍ଦ୍ରୀୟ କମାଣ୍ଡ (CENTCOM) ଅନୁଯାୟୀ, ଏହି ଅଭିଯାନରେ ୧୦ ହଜାରରୁ ଅଧିକ ସୈନ୍ୟ, ଅନେକ ଯୁଦ୍ଧଜାହାଜ ଏବଂ ବିମାନ ନିୟୋଜିତ କରାଯାଇଛି।