ସେପ୍ଟେମ୍ବର ୨୦୨୫ ରେ ବେଜିଂରୁ ସାମ୍ନାକୁ ଆସିଥିବା ଶି ଜିନପିଙ୍ଗ ଏବଂ ଭ୍ଲାଦିମିର ପୁଟିନଙ୍କ ଏକ ଲିକ୍ ଅଡିଓ, ବୟସ ବଢ଼ାଇବା ପ୍ରସଙ୍ଗରେ ସାରା ବିଶ୍ୱରେ ଏକ ନୂଆ ବିତର୍କ ସୃଷ୍ଟି କରିଛି। ସାଧାରଣ ନାଗରିକଙ୍କ ବୟସ ବଢ଼ାଇବା ପାଇଁ ମଣିଷ ଏଭଳି କୌଣସି ପ୍ରୟୋଗ କରିପାରିବ କି ନାହିଁ, ସେ ନେଇ ପ୍ରଶ୍ନ ଉଠିବାରେ ଲାଗିଛି। ପ୍ରକୃତରେ ଚୀନର ରାଷ୍ଟ୍ରପତି ଶି ଜିନପିଙ୍ଗ ଏବଂ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କଥାବାର୍ତ୍ତା ହେଉଥିଲେ ଯେ ମଣିଷର ବୟସକୁ ୧୫୦ ବର୍ଷ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇପାରିବ। ଏହା ପରେ ପୁଟିନ ଏବଂ ଜିନପିଙ୍ଗ ନିଜେ ୧୫୦ ବର୍ଷ ପର୍ଯ୍ୟନ୍ତ ବଞ୍ଚିବାକୁ ଚାହୁଁଛନ୍ତି କି ବୋଲି ଚର୍ଚ୍ଚା ଜୋର ଧରିଛି।
ଏବେ ରୁଷ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ 'କ୍ରେମଲିନ'ରୁ ଆସିଥିବା ନୂଆ ସୂଚନା ଅନୁଯାୟୀ, ବୟସ ବଢ଼ାଇବାର ଉପାୟ ଖୋଜିବା ପାଇଁ ରୁଷ ରାଷ୍ଟ୍ରପତିଙ୍କ ବାସଭବନ ପକ୍ଷରୁ ଏକ ଗବେଷଣା କରାଯାଉଛି। ଏହି ରିସର୍ଚ୍ଚ ପାଇଁ ୨୬ ଅରବ ଡଲାର (୨,୫୦୦ ଅରବ ଟଙ୍କା) ଖର୍ଚ୍ଚ କରିବାକୁ ପ୍ରସ୍ତୁତି ଚାଲିଛି। 'ଦ ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍' ଏହି ରିପୋର୍ଟ ପ୍ରକାଶ କରିଛି।
ରିପୋର୍ଟ ଅନୁଯାୟୀ, ରାଷ୍ଟ୍ରପତି ପୁଟିନ ନିଜେ ଏହି ବୈଜ୍ଞାନିକ ପ୍ରୋଜେକ୍ଟର ତଦାରଖ କରୁଛନ୍ତି। ଅନ୍ୟପଟେ ଏହି ପ୍ରୋଜେକ୍ଟର ନେତୃତ୍ୱ ପୁଟିନଙ୍କ ଝିଅ ମାରିଆ ଭୋରୋନସୋଭା (ଏଣ୍ଡୋକ୍ରିନୋଲୋଜିଷ୍ଟ) ଏବଂ ରୁଷର 'କୁରଚାତୋଭ ଇନଷ୍ଟିଚ୍ୟୁଟ୍'ର ମୁଖ୍ୟ ମିଖାଇଲ କୋଭୈଲଚୁକ କରୁଛନ୍ତି।
ରୁଷରେ କିଭଳି ପ୍ରସ୍ତୁତି ଚାଲିଛି?
୨୦୨୪ ମସିହାରେ ରୁଷର ବୈଜ୍ଞାନିକମାନେ ଏହି ପ୍ରୋଜେକ୍ଟ ଉପରେ କାମ ଆରମ୍ଭ କରିଥିଲେ। ଆରମ୍ଭରେ ଏହାର ଗତି ବହୁତ ଧୀମା ଥିଲା, କିନ୍ତୁ ଏବେ ଏହି ପ୍ରୋଜେକ୍ଟ ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ଏହି ପ୍ରୋଜେକ୍ଟ ଅଧୀନରେ ୩ଟି ମୁଖ୍ୟ କାର୍ଯ୍ୟ କରାଯାଉଛି:
1. ଜିନ୍ ଥେରାପି (Gene Therapy): ଜିନ୍ ଥେରାପି ମାଧ୍ୟମରେ ସେଲୁଲାର୍ ଏଜେଇଂ (କୋଷଗୁଡ଼ିକର ବୃଦ୍ଧାବସ୍ଥା ପ୍ରକ୍ରିୟା) କୁ ଧୀମା କରିବା। ଏହି ଥେରାପି ଜରିଆରେ ବାର୍ଦ୍ଧକ୍ୟ ବଢ଼ାଉଥିବା ଜିନ୍କୁ ନଷ୍ଟ କରିବାକୁ ଚେଷ୍ଟା କରାଯାଉଛି।
2. ୩D ବାୟୋପ୍ରିଣ୍ଟିଂ (3D Bioprinting): ୩D ବାୟୋପ୍ରିଣ୍ଟିଂ ପ୍ରକ୍ରିୟା ମାଧ୍ୟମରେ ଖରାପ ହୋଇଯାଇଥିବା ମାନବ ଅଙ୍ଗକୁ ପୁନର୍ବାର ପ୍ରସ୍ତୁତ କରିବା। ପୁଟିନଙ୍କ କହିବା କଥା ଥିଲା ଯେ ଯଦି ଶରୀରର ଅଙ୍ଗ ବଦଳାଇ ଦିଆଯାଏ, ତେବେ ବୟସ ବଢ଼ିପାରିବ।
3. ଜିନ୍-ମ୍ୟାଚ୍ଡ୍ ଘୁଷୁରି (Gene-matched Pigs): ଜିନ୍-ମ୍ୟାଚ୍ କରାଯାଇଥିବା ଛୋଟ ଘୁଷୁରି ଶରୀରରେ ମାନବ ଅଙ୍ଗ ବିକଶିତ କରି ଏହି ପ୍ରୟୋଗକୁ ସଫଳ କରିବାକୁ ଚେଷ୍ଟା କରାଯାଉଛି। ରୁଷର ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ ସେମାନେ ମୂଷାର ଥାଇରଏଡ୍ ଗ୍ଲାଣ୍ଡ ଏବଂ ମାନବ କାର୍ଟିଲେଜ୍ ଟିସୁ ବାୟୋପ୍ରିଣ୍ଟ କରିସାରିଛନ୍ତି। ଏହି ପ୍ରକ୍ରିୟା ୨୦୩୦ ମସିହା ସୁଦ୍ଧା ସମ୍ପୂର୍ଣ୍ଣ ହେବ ବୋଲି ରୁଷର ବୈଜ୍ଞାନିକମାନେ ଆଶା ରଖିଛନ୍ତି।
ପ୍ରୋଜେକ୍ଟକୁ ସମ୍ପୂର୍ଣ୍ଣ ଗୋପନୀୟ ରଖାଯାଇଛି
ବୟସ ବଢ଼ାଇବାର ଉପାୟ ଖୋଜୁଥିବା ଏହି ପ୍ରୋଜେକ୍ଟକୁ ଅତ୍ୟନ୍ତ ଗୋପନୀୟ ବା ସିକ୍ରେଟ୍ ରଖାଯାଇଛି। ୭୩ ବର୍ଷୀୟ ପୁଟିନ ନିଜେ ଏହାର ମନିଟରିଂ କରୁଛନ୍ତି। ତାଙ୍କର ଅତି ବିଶ୍ୱସ୍ତ ଏବଂ ନିକଟତର ବୈଜ୍ଞାନିକମାନଙ୍କୁ ହିଁ ଏହି କାମରେ ନିୟୋଜିତ କରାଯାଇଛି। ବର୍ତ୍ତମାନ ରୁଷ ବୟସ ସମ୍ବନ୍ଧୀୟ ସମସ୍ୟା ଦେଇ ଗତି କରୁଛି। ରୁଷରେ ପୁରୁଷମାନଙ୍କର ହାରାହାରି ଆୟୁଷ ୬୮ ବର୍ଷ, ଯାହା ୟୁରୋପର ଯେକୌଣସି ଦେଶ ତୁଳନାରେ ସବୁଠାରୁ କମ୍। ୟୁରୋପରେ ପୁରୁଷମାନଙ୍କର ହାରାହାରି ଆୟୁଷ ହେଉଛି ୭୮ ବର୍ଷ।