ୱାଶିଂଟନ/ତେହେରାନ: ବିଶ୍ୱ ରାଜନୀତିରେ ଏକ ବଡ଼ ଚମତ୍କାର ଦେଖିବାକୁ ମିଳିଛି। ଦୀର୍ଘ ଦିନର ତିକ୍ତତା ଓ ଯୁଦ୍ଧ ପରିସ୍ଥିତି ପରେ ଏବେ ଦୁଇ ପରମ ଶତ୍ରୁ ଆମେରିକା ଏବଂ ଇରାନ ସମ୍ପୂର୍ଣ୍ଣ ଶାନ୍ତି ଚୁକ୍ତି କରିବା ଦ୍ଵାର ଦେଶରେ ପହଞ୍ଚି ଯାଇଛନ୍ତି। ଆନ୍ତର୍ଜାତୀୟ ଗଣମାଧ୍ୟମ 'ଏକ୍ସିଓସ'ର ଏକ ରିପୋର୍ଟ ଅନୁସାରେ, ଦୁଇ ଦେଶର ପ୍ରତିନିଧି ଦଳ ମଧ୍ୟରେ ଚାଲିଥିବା ଆଲୋଚନା ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ଏବଂ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ସହମତି ପ୍ରକାଶ ପାଇଛି। ବର୍ତ୍ତମାନ କେବଳ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସବୁଜ ସଙ୍କେତ ବା ମଞ୍ଜୁରୀକୁ ଅପେକ୍ଷା କରାଯାଇଛି।
ପୁଣି ଖୋଲିବ 'ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍'
ଏହି ମହାଶାନ୍ତି ଚୁକ୍ତିର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିନ୍ଦୁ ହେଉଛି 'ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍' ଜଳମାର୍ଗକୁ ପୁଣିଥରେ ସାଧାରଣ ଚଳାଚଳ ପାଇଁ ଖୋଲିବା। ସୂଚନାଯୋଗ୍ୟ ଯେ, ବିଶ୍ୱର ମୋଟ ତେଲ ଓ ଗ୍ୟାସ୍ ଯୋଗାଣର ପ୍ରାୟ ୨୦ ପ୍ରତିଶତ ଏହି ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ରାସ୍ତା ଦେଇ ହୋଇଥାଏ। ଆମେରିକା ସହ ତିକ୍ତତା ବଢ଼ିବା ପରେ ଇରାନ ଏହି ମାର୍ଗକୁ ସମ୍ପୂର୍ଣ୍ଣ ଅବରୋଧ କରିଦେଇଥିଲା, ଯାହାଫଳରେ ସାରା ବିଶ୍ୱରେ ଶକ୍ତି ସଙ୍କଟ ଦେଖାଦେଇଥିଲା।
ଇରାନର ଏହି ଆଭିମୁଖ୍ୟ ପରେ ଆମେରିକା ମଧ୍ୟ ଜବାବୀ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ସେହି ଅଞ୍ଚଳରେ ନିଜର ନୌସେନା ମୁତୟନ କରି ଇରାନର ବନ୍ଦରଗୁଡ଼ିକୁ ଘେରି ଯାତାୟାତ ଠପ୍ କରିଦେଇଥିଲା। କିନ୍ତୁ ଏବେ ଏହି ନୂଆ ଡିଲ୍ ପରେ ବିନା କୌଣସି ବାଧାବିଘ୍ନରେ ଏହି ଜଳମାର୍ଗରେ ଜାହାଜ ଚଳାଚଳ କରିପାରିବ।
୩୦ ଦିନ ଭିତରେ ହଟିବ ସମସ୍ତ ବିପଦ
ଆମେରିକା ଅଧିକାରୀଙ୍କ ସୂତ୍ର ଅନୁଯାୟୀ, ଏହି ଚୁକ୍ତି ଅନୁସାରେ ହର୍ମୁଜ ଦେଇ ଯାଉଥିବା କୌଣସି ବି ଜାହାଜଠାରୁ କୌଣସି ପ୍ରକାରର ଟ୍ୟାକ୍ସ ବା ଟୋଲ୍ ଆଦାୟ କରାଯିବ ନାହିଁ। ଏହାସହ ଏହି ଚୁକ୍ତି ଲାଗୁ ହେବାର ୩୦ ଦିନ ଭିତରେ ଇରାନ ସେହି ସାମୁଦ୍ରିକ ରାସ୍ତାରେ ବିଛାଇଥିବା ସମସ୍ତ ସୁରଙ୍ଗ ଏବଂ ବେଆଇନ ସାମଗ୍ରୀ ହଟାଇବାକୁ ବାଧ୍ୟ ହେବ। ଯଦି ଏହି ଚୁକ୍ତି ଚୂଡ଼ାନ୍ତ ରୂପ ନିଏ, ତେବେ ଏହା ବିଶ୍ୱ ଅର୍ଥନୀତି ଏବଂ ବିଶେଷ କରି ଅଶୋଧିତ ତେଲ ବଜାର ପାଇଁ ଏକ ବଡ଼ ଆଶ୍ୱସ୍ତି ଆଣିଦେବ।