କୋଲକାତା: ପଶ୍ଚିମବଙ୍ଗ ରାଜନୀତିରୁ ସବୁଠୁ ବଡ଼ ଖବର ସାମ୍ନାକୁ ଆସିଛି। ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କ ପରାଜୟ ପରେ ଏବେ ଦଳ ଭିତରେ ବଡ଼ ବିଦ୍ରୋହ ଦେଖିବାକୁ ମିଳିଛି। ଯେଉଁ ନେତା ଓ କର୍ମୀମାନେ ଦିନେ ମମତାଙ୍କ ପାଇଁ ଜୀବନ ଦେବାକୁ ପ୍ରସ୍ତୁତ ଥିଲେ, ସେମାନେ ଏବେ ଦଳର ସ୍ଥିତି ଉପରେ ଖୋଲାଖୋଲି ପ୍ରଶ୍ନ ଉଠାଇବା ଆରମ୍ଭ କରିଛନ୍ତି। ବିଶେଷ କରି କୋଲକାତାର ଆର.ଜି କର ମେଡିକାଲ କଲେଜ ହତ୍ୟା ଓ ଦୁଷ୍କର୍ମ ମାମଲା ପରଠାରୁ ସରକାରଙ୍କ ଭାବମୂର୍ତ୍ତି ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି।
ଏସବୁ ଭିତରେ ତୃଣମୂଳ କଂଗ୍ରେସ (TMC) ର ବରିଷ୍ଠ ରାଜ୍ୟସଭା ସାଂସଦ ସୁଖେନ୍ଦୁ ଶେଖର ରାୟ ଏକ ସାଂଘାତିକ ବୟାନ ଦେଇ ଦଳର ହୋସ ଉଡ଼ାଇ ଦେଇଛନ୍ତି। ଜାତୀୟ ଗଣମାଧ୍ୟମ 'ଏନଡିଟିଭି'କୁ ଦେଇଥିବା ଏକ ସାକ୍ଷାତକାରରେ ସୁଖେନ୍ଦୁ ଦାବି କରିଛନ୍ତି ଯେ, ଖୁବଶୀଘ୍ର ତୃଣମୂଳ କଂଗ୍ରେସର ଅସ୍ତିତ୍ୱ ଶେଷ ହୋଇଯିବ ଏବଂ ଜାତୀୟ ରାଜନୀତିରେ ଦଳ ନିଜର ବିଶ୍ୱସନୀୟତା ସମ୍ପୂର୍ଣ୍ଣ ହରାଇ ସାରିଛି।
ଆର.ଜି କର ମାମଲା ଓ ପୋଲିସର ଭୂମିକା ଉପରେ ବର୍ଷିଲେ ସାଂସଦ
ଆର.ଜି କର ମେଡିକାଲ କଲେଜ ଘଟଣାକୁ ନେଇ ସୁଖେନ୍ଦୁ ଶେଖର ରାୟ ନିଜ ସରକାରକୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ସରକାର ଏହି ସମ୍ବେଦନଶୀଳ ମାମଲାକୁ ଅତି ଖରାପ ଢଙ୍ଗରେ ପରିଚାଳନା କଲେ। ଅଭିଯୁକ୍ତମାନଙ୍କୁ ସୁରକ୍ଷା ଦେବା ପାଇଁ ପୋଲିସ ପ୍ରଶାସନର ଅପବ୍ୟବହାର କରାଗଲା, ଯାହାଫଳରେ ରାଜ୍ୟର ମହିଳାମାନେ ରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେଲେ ଏବଂ ଏହାର ପ୍ରଭାବ ସିଧାସଳଖ ନିର୍ବାଚନ ଉପରେ ପଡ଼ିଲା।
ଆଇ-ପ୍ୟାକ୍ (I-PAC) ଉପରେ ଫୁଟିଲା ଅସନ୍ତୋଷ
ମମତା ବାନାର୍ଜୀଙ୍କ ପରାଜୟ ପାଇଁ ପ୍ରଶାସନିକ ବିଫଳତା ସହ ନିର୍ବାଚନ ରଣନୀତି ତିଆରି କରୁଥିବା ସଂସ୍ଥା 'ଆଇ-ପ୍ୟାକ୍' (I-PAC) କୁ ଦାୟୀ କରିଛନ୍ତି ସୁଖେନ୍ଦୁ। ସେ ଅଭିଯୋଗ କରିଛନ୍ତି ଯେ, ଦଳ ଆଇ-ପ୍ୟାକ୍କୁ ସୀମାରୁ ଅଧିକ ସ୍ୱାଧୀନତା ଦେଇଦେଇଥିଲା, ଯାହା ସଂଗଠନକୁ ଭିତରୁ ଦୁର୍ବଳ କରିଦେଲା।
ଦଳର ଅନ୍ୟ କେତେକ ବଡ଼ ନେତା ମଧ୍ୟ ଅଭିଯୋଗ କରିଛନ୍ତି ଯେ, ଆଇ-ପ୍ୟାକ୍ କାରଣରୁ ନେତାମାନେ ମମତା ବାନାର୍ଜୀଙ୍କୁ ସିଧାସଳଖ ଭେଟି ପାରୁନଥିଲେ। ଏପରିକି ଦଳୀୟ ପଦପଦବୀ ବଣ୍ଟନରେ ବ୍ୟାପକ ଅନିୟମିତତା ଏବଂ ଆର୍ଥିକ କାରବାର ହୋଇଥିବା ନେଇ ଦଳ ଭିତରେ ଚର୍ଚ୍ଚା ଜୋର ଧରିଛି। ନିର୍ବାଚନରେ ଏହି ଶୋଚନୀୟ ପରାଜୟ ପାଇଁ କେବଳ ତଳସ୍ତରର କର୍ମୀ ନୁହଁନ୍ତି ବରଂ ଶୀର୍ଷ ନେତୃତ୍ୱ ମଧ୍ୟ ସମାନ ଭାବେ ଦାୟୀ ବୋଲି ସାଂସଦ ସୁଖେନ୍ଦୁ ଶେଖର ରାୟ କହିଛନ୍ତି।